ଦିଲ୍ଲୀ ନିର୍ବାଚନ ଫଳାଫଳ ପୂର୍ବରୁ ଆପରେ ବଡ ହଇଚଇ, ସବୁ ପ୍ରାର୍ଥୀଙ୍କୁ ଡାକିଲେ କେଜ୍ରିଓ୍ବାଲ୍
![](https://nandighoshatv.com/wp-content/uploads/2025/02/5645y-1-1024x576.png)
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଗଣନା ପୂର୍ବରୁ ଆମ ଆଦମୀ ପାର୍ଟି ନିଜର ସବୁ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିଓ୍ବାଲ୍ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ତେବେ ଏହି ବୈଠକଟି ଆଜି ଦିନ ୧୧ଟା ୩୦ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅପରେସନ୍ ଲୋଟସ୍ ପ୍ରତି ନିଜର ବିଧାୟକ ମାନଙ୍କୁ ସତର୍କ କରାଇବା ନେଇ ଆଲୋଚନା କରାଯିବ । ସୂଚନା ଅନୁସାରେ , ଆସନ୍ତା ଶନିବାର ଦିନ ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ନିର୍ବାଚନ ଗଣନା ପୂର୍ବରୁ ହିଁ ବିଜେପି ଉପରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ , ଦିଲ୍ଲୀରେ ଫଳାଫଳ ପୂର୍ବରୁ ହିଁ ଅପରେସନ୍ ଲୋଟସ୍ ଆରମ୍ଭ ହୋଇଯାଇଛି । ଅଭିଯୋଗ ଅନୁସାରେ ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ୧୫ କୋଟି ଟଙ୍କା ଲେଖାଏଁ ଦେଇ ବିଜେପି ନିଜ ଦଳରେ ସାମିଲ୍ କରିବାକୁ ଚେଷ୍ଟା କରୁଛି ।
ସୂଚନା ଆଧାରରେ , ଦିଲ୍ଲୀ ଭୋଟ୍ ଗତ ୫ ତାରିଖରେ ହୋଇଥିଲା । ଏହା ପରେ ଏକ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଥିଲା । ଏବଂ ସବୁ ଏକଜିଟ୍ ପୋଲରେ ଏଥର ବିଜେପି ଦିଲ୍ଲୀରେ ସରକାର ଗଢୁଥିବା ନଜରକୁ ଆସିଥିଲା । କିନ୍ତୁ ଏହାକୁ ପୁରାପୁରି ଖଣ୍ଡନ କରିବା ସହ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ୍ । ଆପର ବିଧାୟକ ମାନଙ୍କୁ ବିଜେପି ଟଙ୍କା ଦେଇ ନିଜ ଦଳକୁ ସାମିଲ୍ କରିବାର ଅଭିଯୋଗ ମଧ୍ୟ କରିଛନ୍ତି ଅରବିନ୍ଦ ।