ଠେଙ୍ଗା ବାହିନୀ ଗଠନ କରି ଯୁବକଙ୍କୁ ପଥଭ୍ରଷ୍ଟ କରୁଛନ୍ତି ବିଜେପି ବିଧାୟକ: ବିଜେଡି
1 min read![](https://nandighoshatv.com/wp-content/uploads/2025/02/thenga-1024x576.jpg)
ଭୁବନେଶ୍ବର: ଠେଙ୍ଗା ରାଜନୀତି ତେଜିବାରେ ଲାଗିଛି । ଠେଙ୍ଗା ବାହିନୀ ପାଇଁ ବିଜେପି ବିଧାୟକ ବାବୁ ସିଂ ଭୁଲ ମାଗନ୍ତୁ ବୋଲି ଦାବି କରିଛି ବିଜେଡି । ଠେଙ୍ଗା ବାହିନୀ ଗଠନ କରି ଯୁବକଙ୍କୁ ବିଧାୟକ ପଥଭ୍ରଷ୍ଟ କରୁଥିବା ଅଭିଯୋଗ କରିଛି ଦଳ ।
ଠେଙ୍ଗା ଧରିବା ବିଧାୟକଙ୍କୁ ଶୋଭା ପାଉନାହିଁ । ଏହାଦ୍ଵାରା ସମାଜକୁ ଭୁଲ ବାର୍ତ୍ତା ଦିଆଯାଉଛି । ବିଧାୟକ ଠେଙ୍ଗା ଧରିବା ପ୍ରମାଣିତ କରିଛି ବିଜେପି ସରକାରରେ ସମନ୍ୱୟର ଅଭାବ ରହିଛି । ମୁଖ୍ୟମନ୍ତ୍ରୀ ନାଚାର ହୋଇ ପଡିଛନ୍ତି । ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ଦରକାର । କିନ୍ତୁ ବିଧାୟକଙ୍କ ତରିକା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ ।
ଏହି ପ୍ରସଙ୍ଗରେ ଆଇନ ବିଭାଗ କ’ଣ କରୁଛି ? କାହିଁକି ଆସିପାରୁନି ମାର୍ଗ ଦର୍ଶିକା ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି । ଯଦି ବାବୁ ସିଂଙ୍କ ଠେଙ୍ଗା ବାହିନୀ ପରି ଆଗକୁ ସବୁ ସଙ୍ଗଠନ ଏହି ଫର୍ମୁଲା ଆପଣାଇବେ ତେବେ ପରିସ୍ଥିତି କ’ଣ ହେବ ? ତେଣୁ ସରକାର ଏ ବିଷୟରେ ଚିନ୍ତା କରନ୍ତୁ ଓ ବିଧାୟକ ଭୁଲ ମାନନ୍ତୁ ବୋଲି ମନ୍ମଥ ଦାବି କରିଛନ୍ତି ।
ସେହିପରି ବିଜେପି ସରକାର ଗୁଣ୍ଡାରାଜ କରିବା ଆରମ୍ଭ କରିଛି ବୋଲି ସିଧା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ଅଶ୍ଳୀଳ ମୃତ୍ଯ ବନ୍ଦ ନେଇ ଠେଙ୍ଗା ଆଭିମୁଖ୍ଯକୁ କେହି ଗ୍ରହଣ କରିବେନି । ବାବୁ ସିଂ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି । ବିଧାୟକ ଆଇନ ଉପରେ ଭରସା ରଖନ୍ତୁ । ବିଜେପି ବିହାର ଓ ଉତ୍ତର ପ୍ରଦେଶ ପରି ଓଡ଼ିଶାରେ ଗୁଣ୍ଡାରାଜ କରିବାକୁ ଚାହୁଁଛି । ଯାହାକୁ ଓଡିଶାବlସୀ ଗ୍ରହଣ କରିବେନି ବୋଲି କହିଛନ୍ତି ଜୟଦେବ । ସରକାର ଚାହିଁଲେ ଅଶ୍ଳୀଳ ନୃତ୍ୟ ବନ୍ଦ ହୋଇପାରିବ । ହେଲେ ତାହା ନକରି ଠେଙ୍ଗା ଦ୍ଵାରା ଧମକ ଦେବା ଠିକ୍ ନୁହେଁ । ବିଜେଡି ବି ବିଜୁ ଯୁବ ବାହିନୀ ଗଠନ କରିଥିଲା । ହେଲେ ବିଜୁ ଯୁବ ବାହିନୀ ଗୁଣ୍ଡାରାଜ କି ଠେଙ୍ଗା ଧରୁ ନଥିଲା ବୋଲି ମନେ ପକାଇ ଦେଇଛନ୍ତି ଜୟଦେବ ।
ଅନ୍ଯପଟେ ବାବୁ ସିଂ କହିଛନ୍ତି, ସେ ସଂସ୍କୃତିକୁ କେତେ ଭଲପାଆନ୍ତି ତାହା ପ୍ରମାଣ କରିବା ଆବଶ୍ଯକ ନାହିଁ ।