ତାମିଲନାଡୁରେ ପୁଣି ଲଜ୍ଜା, ଛାତ୍ରୀଙ୍କୁ ୩ଶିକ୍ଷକଙ୍କ ଯୌନ ନିର୍ଯ୍ୟାତନା
1 min readତାମିଲନାଡୁ: ଗୁରୁ-ଶିଷ୍ୟଙ୍କ ସମ୍ପର୍କରେ ପୁଣି ଲାଗିଲା କଳଙ୍କ। ଜଣେ ଛାତ୍ରୀଙ୍କୁ ତିନି ଜଣ ଶିକ୍ଷକ ମିଶି ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ । ଏକ ସରକାରୀ ସ୍କୁଲରେ ତିନି ଶିକ୍ଷକ ମିଶି ଜଣେ ୧୩ବର୍ଷର ଛାତ୍ରୀ ସହ ଆମାନୁଷିକ କାଣ୍ଡ ଘଟାଇଛନ୍ତି । ପୋକ୍ସୋ ନିୟମାନୁଯାୟୀ ୩ଜଣ ଶିକ୍ଷକଙ୍କୁ ଗିରଫ କରାଯାଇ ୧୫ଦିନ ରିମାଣ୍ଡରେ ପଠାଯାଇଛି । ତେବେ ପୋଲିସ ଅନୁଯାୟୀ ୨ଜାନୁୟାରୀରେ ବିଦ୍ୟାଳୟର ଶୌଚାଳୟରେ ଏଭଳି କାଣ୍ଡ ଘଟାଯାଇଛି ।
ରିପୋର୍ଟ ଅନୁଯାୟୀ ଏକ ସରକାରୀ ବିଦ୍ୟାଳୟରେ ତିନି ଶିକ୍ଷକ ମିଶି ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ଅଭିଯୋଗ କ୍ରମେ ୩ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଗିରଫ କରାଯାଇଛି । ଘଟଣାଟି ଘଟିବାର ୧ମାସ ପରେ ସାମ୍ନାକୁ ଆସିଥିଲା । ଯେତେବେଳେ ଛାତ୍ରୀ ଜଣକ ଏ ବାବଦରେ ପିତାମାତାଙ୍କୁ ଅବଗତ କରାଇଥିଲେ । ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଚାଇଲ୍ଡ ହେଲ୍ପଲାଇନ ଶିକ୍ଷକଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିଲେ । ତାଙ୍କ କହିବାନୁଯାୟୀ ପୀଡିତାଙ୍କ ପିତାମାତାଙ୍କ ଅଭିଯୋଗ କ୍ରମେ ତିନି ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ଏବଂ ପୋକ୍ସୋ ନିୟମ ଆଧାରରେ ତଦନ୍ତ କରାଯାଉଛି ।
ଏହାପୂର୍ବରୁ ମଧ୍ୟ ଗତବର୍ଷ ତାମିଲନାଡୁର କୋଟରୁପୁରମ ପୋଲିସ ଅନ୍ନା ବିଶ୍ବବିଦ୍ୟାଳୟ ମାମଲାର ଏକମାତ୍ର ଆରୋପୀ ବିରୟାନୀ ବିକ୍ରେତା ୩୭ବର୍ଷୀୟ ଜ୍ଞାନସେକରନଙ୍କୁ ଗିରଫ କରାଯାଇଥିଲା । ଅପରାଧୀ ଜଣକ ଜବରଦସ୍ତି ବିଦ୍ୟାଳୟରେ ପ୍ରବେଶ କରି ପୁରୁଷ ବନ୍ଧୁଙ୍କୁ ମାରପିଟ କରିବା ସହିତ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ପୋଲିସକୁ ଦେଇଥିବା ବୟାନ ଅନୁସାରେ ୨୩ଡିସେମ୍ବରରେ ପାଚେରୀ ପଛପଟେ ଛାତ୍ରୀ ନିଜ ପୁରୁଷ ବନ୍ଧୁ ସହ ବୁଲୁଥିଲେ । ସେତେବେଳେ ଅଭିଯୁକ୍ତ ସେମାନଙ୍କୁ ଧମକାଇବା ସହ ଯୌନ ନିର୍ଯ୍ୟାତନା ଦେଇଥିଲେ ।