ଗୁରୁମନ୍ତ୍ର ଦେବେ ନବୀନ: ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପାଇଁ ବିଜେଡିର ସଜବାଜ । ୧୨ ତାରିଖରେ ବସିବ ବିଧାୟକ ଦଳ ବୈଠକ । ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରିବେ ରଣନୀତି । ଗୃହରେ ଆହୁରି ଶାଣିତ ହେବ ସ୍ବର । ୭ମାସରେ ବିଜେପି ସରକାରରେ ଅତିଷ୍ଠ ଲୋକେ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ହତ୍ୟା, ଚୋରି, ଡକାୟତି ସହ ନାରୀ ନିର୍ଯାତନା ବଢିବଢି ଚାଲିଛି । ଦରଦାମ ନିୟନ୍ତ୍ରଣ ବାହାରେ । ଧାନ କିଣା ବିକାରେ ଚାଲିଛି ବ୍ୟାପକ କଟନି ଛଟନି । ପୁରୀ କଣାସରେ ହାଇଜାରେ ୬ଜଣଙ୍କ ମୃତ୍ୟୁ । ସବୁ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇ ବସିପଡ଼ୁଛନ୍ତି । ଆସନ୍ତା ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ନିଜର ଦାୟିତ୍ବ ସଠିକ ଭାବେ ତୁଲାଉନଥିବାରୁ ଲୋକଙ୍କ ସ୍ବର ସାଜି ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବ । ଆସନ୍ତା ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ବିଧାୟକ ଦଳ ବୈଠକ ବସିବ । ଶଙ୍ଖଭବନରେ ନବୀନ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବା ସହ ବଜେଟ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ବିଜେଡି କହିଛି ।
ଅନ୍ୟପଟେ ଲଗାତାର କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଉଥିବାରୁ ଏହା ବିରୋଧରେ ମଧ୍ୟ ଗୃହରେ ସ୍ବର ଉଠାଇବ ବିଜେଡି । ବିହାର, ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ଅନୁଦାନ ଦିଆଯାଉଥିବା ବେଳେ ଓଡ଼ିଶା ପ୍ରତି କାହିଁକି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେନେଇ ପ୍ରଶ୍ନ ଉଠାଇବ । କେନ୍ଦ୍ରର ବଜେଟ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ନେଇ ସ୍ବର ଉଠାଇଛନ୍ତି । ସଂସଦରେ ବିଜେଡି ସାଂସଦମାନେ ଏ ପ୍ରସଙ୍ଗକୁ ଅଧିକ ଶାଣିତ କରିଥିବାରୁ ବିଧାନସଭାରେ ବିଧାୟକମାନେ କେନ୍ଦ୍ର ଅବହେଳାକୁ ଜୋରଦାର କରିବେ ବୋଲି କହିଛନ୍ତି । ବଜେଟରେ ଓଡ଼ିଶା ପ୍ରତି କେନ୍ଦ୍ରର ଅଣଦେଖା ସତ୍ତ୍ବେ ବିଜେପି କିନ୍ତୁ ଚିରାଚରିତ ଢଙ୍ଗରେ ଜବାବ ଦେଇଛି । ବିଧାନସଭାର ବଜେଟ ଅଧିବେଶନରେ ଲୋକଙ୍କ ସ୍ବରକୁ ଶାଣିତ କରିବା ପାଇଁ ବିଜେଡି ସଜବାଜ ଆରମ୍ଭ କରିଛି । ବିଜେପି ସରକାର ଦେଇଥିବା ପ୍ରତିଶୃତି କେତେ ପାଳନ କରିଛି ? ଡବଲ ଇଂଜିନ ସରକାରରେ ଓଡ଼ିଶା ପାଉଛି କେତେ ଓ ହରାଉଛି କେତେ ? ତାର ହିସାବ ନିକାଶ ପାଇଁ ବିଜେଡି ପ୍ରସ୍ତୁତ ।