ଷ୍ଟାର ହୋଟେଲରେ ମାତିଲେ ସୁଟ୍ ବୁଟ୍ ପିନ୍ଧା ଲୁଟେରା: ବିବାହ ଭୋଜିକୁ ସମ୍ଭ୍ରାନ୍ତ ବେଶରେ ଆସି ଲୁଟିନେଲେ ହୀରା, ସୁନା ଓ ଟଙ୍କା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, ଏଠି ଚୋର ମଚାଏ ସୋର୍ । କୋମାରେ କମିଶନରେଟ୍ ପୋଲିସ୍ , ଆଇସିୟୁରେ ଆଇନଶୃଙ୍ଖଳା । ସୁଟ୍ ବୁଟ୍ ପିନ୍ଧି ଷ୍ଟାର ହୋଟେଲରୁ ସଫା କରିଦେଲା ଚୋର । ସରୋଜ କୁମାର ମିଶ୍ର । ଘର ଶାସ୍ତ୍ରୀନଗର । ମାନବ ସମ୍ବଳ ବିଭାଗରୁ ଅବସର ନେବା ପରେ ନିଜର ଏକମାତ୍ର ଡାକ୍ତର ଝିଅର ବିବାହ ବେଶ ଧୁମଧାମରେ କରିବାକୁ ଚାହିଁଥିଲେ । ଭୋଜି ଭାତ, ଜାନି ଯୌତୁକ କେଉଁଥିରେ ସାମାନ୍ୟ ହେଳା କରିନଥିଲେ । ଷ୍ଟାର ହୋଟେଲରେ ବିବାହକୁ ବେଶ ଆଡ଼ମ୍ବରରେ କରିବା ପାଇଁ ଠିକ କରିଥିଲେ ଡାକ୍ତର ଜ୍ବାଇଁ । ମୈତ୍ରୀବିହାରରେ ଗତକାଲି ହେଉଥିବା ବାହାଘରରେ ବାଜା ବାଣ ରୋଷଣୀ ସହ ପହଞ୍ଚିଥିଲେ ବରଯାତ୍ରୀ । ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ହାତଗଣ୍ଠିରେ ସମସ୍ତେ ବ୍ୟସ୍ତ ଥିବାବେଳେ ହଠାତ୍ କଳାକନା ବୁଲାଇବା ଆରମ୍ଭ କରିଥିଲା ସମ୍ଭ୍ରାନ୍ତ ଦିଶୁଥିବା ଏହି ଚୋର । ଭଲକରି ଦେଖିରଖନ୍ତୁ ଏହି ବାବୁ ଜଣଙ୍କୁ । ବରଯାତ୍ରୀଙ୍କ ସହ ଆସିବା ଭଳି ଅଭିନୟ କରି ଷ୍ଟେଜ ଉପରେ ଅନେକ ଫଟୋ ଉଠାଇବା ପରେ ଲୁଟି ନେଇଛି ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ସହ ନଗଦ ଅଢେଇ ଲକ୍ଷ ଟଙ୍କା । ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି କନ୍ୟାପିତା ।
ରାଜଧାନୀରେ ଛତୁ ଫୁଟିବା ଭଳି ଖୋଲୁଥିବା ବିବାହ ମଣ୍ଡପ ଓ ଷ୍ଟାର ହୋଟେଲରେ ଦିନିକିଆ ଉତ୍ସବ ପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଭଡା ଆଦାୟ କରାଯାଉଛି । ଏହାକୁ ଛାଡିଲେ ଭୋଜି ଭାତ ବାବଦରେ ପ୍ଲେଟ ପିଛା ଆଖିବୁଜା ଟଙ୍କା ନେଉଛନ୍ତି ହୋଟେଲ ମାଲିକ । କିନ୍ତୁ ସୁରକ୍ଷା ସମ୍ପର୍କିତ କୌଣସି ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ରାଜଧାନୀରେ ଏଭଳି ଲୁଟ ନୂଆ ନୁହେଁ । କିଛିମାସ ତଳେ ବଡଗଡ଼ ଥାନା ଅଧୀନ ବାଇପାସ ରୋଡ଼ରେ ଥିବା କିଛି ମଣ୍ଡପରେ ସମାନ ଢଙ୍ଗରେ ଲୁଟପାଟ କରିଥିଲେ । ଲୁଟେରାଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଥିଲେ । ପରେ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା କମିଶନରେଟ୍ ପୋଲିସ । ଏବେ ଏହି ଘଟଣାରେ ହସ୍ତଗତ ସିସିଟିଭି, ଚୋର ଚଳାଉଥିବା ସୁଇଫ୍ଟ ଗାଡିର ନମ୍ବର ଆଧାରରେ ତଦନ୍ତ କରୁଥିବାବେଳେ ଅଭିଯୁକ୍ତର ଘର ମଧ୍ୟପ୍ରଦେଶ ବୋଲି ତଦନ୍ତ ବେଳେ ଜାଣିବାକୁ ମିଳିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଲୁଟ ସାମଗ୍ରୀ ଜବତ ତ ଦୂରର କଥା, ଲୁଟେରା ସମ୍ପର୍କରେ ଟେର ପାଇନାହିଁ ପୋଲିସ । ରାଜଧାନିର ଭିଭିଆଇପି ଏରିଆରୁ ଏଭଳି ଲୁଟରେ ଲଗାମ ଲାଗୁନଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ, ତାହା ସ୍ପଷ୍ଟ ଅନୁମେୟ ।