ବନ୍ଦ ହେଲା ସୋଭେରିନ୍ ଗୋଲ୍ଡ ବଣ୍ଡ ଯୋଜନା: ଆହୁରି ବଢ଼ିବ ସୁନା ଦର, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପାଲଟିବ ସୁନା

ଭୁବନେଶ୍ବର: କେନ୍ଦ୍ର ସରକାର ବନ୍ଦ କଲେ ସୋଭେରିନ୍‌ ଗୋଲ୍ଡ ବଣ୍ଡ୍‌ ଯୋଜନା । ସୁନା ବଣ୍ଡ୍ ଜମାକାରୀଙ୍କୁ ମିଆଦ ପୂରଣ ପରେ ସରକାରଙ୍କୁ ଋଣ କରିବାକୁ ପଡ଼ୁଛି । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି । ଯାହାକୁ ନେଇ ବଜାରରେ ବାସ୍ତବ ସୁନା ଚାହିଦା ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହସହ ସୁନା ଦର ଆହୁରି ବଢ଼ିବ ।

ଘୋଡ଼ା ୬ ଟଙ୍କା, ଦାନା ୯ ଟଙ୍କା । ସୋଭେରିନ୍‌ ଗୋଲ୍ଡ ବଣ୍ଡ କିଣିଥିବା ପୁଞ୍ଜି ବିନିଯୋଗକାରୀଙ୍କୁ ଅଧିକ ଅର୍ଥ ଗଣିବାକୁ ପଡ଼ିଲା । ଏଣିକି ଆଉ ଜାରି ହେବନି ସୋଭେରିନ୍‌ ଗୋଲ୍ଡ ବଣ୍ଡ । ବଣ୍ଡ୍‌ ଜାରିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗତକାଲି ବଜେଟ୍‌ ଆଗତ କଲା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫଳରେ ବାସ୍ତବ ସୁନା ଦର ଆହୁରି ବଢିବ । ସୁନା ବଣ୍ଡ୍‌ ମିଆଦ ପୂରିବା ପରେ ସରକାରଙ୍କୁ ଅଧିକ ଅର୍ଥ ପୁଞ୍ଜି ବିନିଯୋଗକାରୀଙ୍କୁ ଦେବାକୁ ପଡ଼ୁଛି । ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଋଣ କରିବାକୁ ପଡ଼ୁଛି । ଏବେ ବଜାରରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୮୭ ହଜାର ଟଙ୍କା । ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୪୫୦ ଟଙ୍କା । ସୋଭେରିନ୍‌ ଗୋଲ୍ଡ ବଣ୍ଡ୍‌ ବନ୍ଦ ହେଲେ ପୁଞ୍ଜି ନିବେଶକାରୀ ବାସ୍ତବ ସୁନା କିଣିବାକୁ ଆହୁରି ଚାହିଦା ବଢିବ । ଫଳରେ ଆହୁରି ଅଧିକ ଆମଦାନୀ ହେବ ଓ ଦର ଆହୁରି ବଢିବ ।

ସୁନା ଆମଦାନୀକୁ ନିରୁତ୍ସାହ କରିବାକୁ ୨୦୧୫ରେ କେନ୍ଦ୍ର ସରକାର ସୋଭେରିନ୍‌ ଗୋଲ୍ଡ ବଣ୍ଡ ଜାରି କରିଥିଲେ । ମୂଳ ବଣ୍ଡ ଉପରେ ସ୍ଥାୟୀ ଭାବେ ଅଢେଇ ପ୍ରତିଶତ ସୁଧ ମିଳିବା ସହ ବଜାରରେ ବାସ୍ତବ ସୁନା ଦରବୃଦ୍ଧି ଉପରେ ସରକାରଙ୍କୁ ପରିଶୋଧ ସମୟରେ ଅର୍ଥ ଦେବାକୁ ପଡ଼ୁଥିଲା । ଏପରିକି ବିଶେଷଜ୍ଞଙ୍କ ମତ ଏହି ଯୋଜନାଟି କେନ୍ଦ୍ର ସରକାର ଯେଉଁ ଉଦ୍ଦେଶ୍ୟରେ କରିଥିଲେ । ସେଥିରେ କୌଣସି ଲାଭ ମିଳିଲାନି । ଯାହା ପାଖରେ ବଳକା ଅର୍ଥ ଅଛି ସେହିମାନେ ହିଁ ବଣ୍ଡ କିଣୁଥିଲେ । ଯଦିଓ ଏହା ବାସ୍ତବ ସୁନା କିଣିବାଠୁ ସୁରକ୍ଷିତ ଥିଲା । କିନ୍ତୁ ଏହି ଯୋଜନା ଏକ ପ୍ରକାର କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଥିଲା । ଏବେ ବନ୍ଦ ହେଲା ପରେ ସେପରି କୌଣସି ବଜାରରେ ଚାହିଦା ବୃଦ୍ଧି ହେଲା ଭଳି ଲାଗୁନି । ଯାହା ପାଖରେ ଅର୍ଥ ଅଛି ସେମାନେ ସେୟାର ମାର୍କେଟ୍‌, ମ୍ୟୁଚୁଆଲ ଫଣ୍ଡ କିମ୍ବା ଅନ୍ୟ ସରକାରୀ ଲାଭଦାୟକ ଯୋଜନାରେ ପୁଞ୍ଜି ଲଗାଇବେ ।

କେନ୍ଦ୍ର ବଜେଟ୍‌ ଆସିବା ପୂର୍ବରୁ ସୁନା ବଣ୍ଡ ବନ୍ଦ ହେବା ନେଇ ପୂର୍ବାନୁମାନ କରାଯାଉଥିଲା । ଏବେ ସୁନା ବଣ୍ଡ ବନ୍ଦ କଲା ପରେ ବଜାରରେ ସୁନା ଚାହିଦା ବଢିଲେ ଗରିବ ଓ ମଧ୍ୟବିତ୍ତ ଆଉ ସୁନା କିଣିବାକୁ ସମର୍ଥ ହେବେ କି ନାହିଁ ସେ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।