କାହିଁକି ହେଲା ଦଳାଚକଟା ? ଚାଲିଛି ଜୋରଦାର ତଦନ୍ତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ମହାକୁମ୍ଭ ମେଳାରେ ହୋଇଥିବା ଦଳା ଚକଟାରେ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ ତଦନ୍ତ ଜୋରଦାର ଆରମ୍ଭ କରିଛି । ୟୁପିର ଏସଟିଏଫ ଟିମର ଯାଞ୍ଚ ଜାରି ରହିଛି । ଜାଣିଶୁଣି ଏଭଳି ଅଘଟଣ ଘଟା ଯାଇନି ତ ? ଏମିତି ଅନେକ ସନ୍ଦେହ କରି ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ଏଣୁ ଏସଟିଏଫ ପକ୍ଷରୁ ସଙ୍ଗମସ୍ଥଳର ଆଖପାଖରେ ଥିବା ବିଭିନ୍ନ ମୋବାଇଲ ନମ୍ବର ଯାଞ୍ଚ କରୁଛି । କୁହାଯାଉଛି କି, ୧୬ ହଜାରରୁ ଅଧିକ ମୋବାଇଲ ନମ୍ବର ଯାଞ୍ଚ କରାଯାଇଛି । ଏପରିକି ଘଟଣା ପରେ ଅନେକ ମୋବାଇଲ ସୁଇଚ୍ ଅଫ୍ ଆସୁଛି । ଏହାସହ ସଙ୍ଗମସ୍ଥଳରେ ଲାଗିଥିବା ସୁସିଟିଭିକୁ ମଧ୍ୟ ତନତନ କରି ଯାଞ୍ଚ କରାଯାଉଛି । ସେପଟେ ଆଜି ବସନ୍ତ ପଞ୍ଚମୀରେ ୟୁପି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବାବେଳେ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଛି ।

ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ସୋମବାର ସକାଳ ୫ଟାରୁ ଆରମ୍ଭ ହେବାକୁ ଯାଉଛି । ଏଣୁ ପୁଣି ଏକ ଅଘଟଣ ପୂର୍ବରୁ ପ୍ରଶାସନ ପକ୍ଷରୁ ସବୁ ଦିଗକୁ ଦୃଷ୍ଟି ଦିଆଯାଉଥିବା କୁହାଯାଉଛି । ତେବେ ସକାଳ ୪ଟାରେ ପ୍ରଥମେ ପଞ୍ଚାୟତି ଆଖଡ଼ା ମହାନିର୍ବାଣି ଅମୃତ ସ୍ନାନ ପାଇଁ ସଙ୍ଗମସ୍ଥଳରେ ପହଞ୍ଚିବେ । ଏହାପରେ ଅନ୍ୟ ଆଖଡ଼ାମାନେ ଆସିବେ ବୋଲି ସୂଚନା ମିଳିଛି । ୧୨ଟି ଆଖଡ଼ା ପକ୍ଷରୁ ଅମୃତ ସ୍ନାନ କରାଯିବ । ଭିଆଇପିଙ୍କ ପାସ ବାତିଲ କରାଯାଇଛି । ସେପଟେ ଆସନ୍ତା ୫ ତାରିଖରେ ସଙ୍ଗମସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।