ଘୋଷଯାତ୍ରା ପାଇଁ ଆଜି ରଥକାଠ ପୂଜାର୍ଚ୍ଚନା

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ସଂଗ୍ରହର ହେବ ପୂଜାର୍ଚ୍ଚନା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ଥିବା ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା କରାଯିବ  । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ଼ିଂ କରାଯାଇ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯିବାର ରହିଛି ପରମ୍ପରା ।

ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହେବ । ତେବେ ନିର୍ମାଣ ସମୟରେ ଏହି ପୂଜା ହୋଇଥିବା କାଠରେ  ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ଶ୍ରୀମନ୍ଦିର ପ୍ରଶାସନ, ରଥକାଠ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଧାର ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ହେବ। ରଥନିର୍ମାଣ ପାଇଁ ଚଳିତବର୍ଷ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୧ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ଯେଉଁଥିରେ ୪୮ ଟି ଅସନ ଓ ୫୩ ଟି ସଉରା କାଠ ରହିଛି । ପୂର୍ବ ବର୍ଷର ୫୧ ଖଣ୍ତ କାଠ ଗଛିତ ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୮୧୪ ଖଣ୍ତ ରଥକାଠ ଆସିବ। ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥକାର୍ଯ୍ୟ ଆରମ୍ଭ ହେବ।