ଚାଷୀଙ୍କ ପିଛା ଛାଡୁନି ଦୁଃଖ, ନଷ୍ଟ ହୋଇଗଲାଣି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଫସଲ
ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । କୁହୁଡି ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଗଞ୍ଜାମ ଜିଲ୍ଲା ଆସିକା, ଧରାକୋଟ ଓ ଶେରଗଡ ଅଞ୍ଚଳରେ ହେକ୍ଟର ହେକ୍ଟର ଜମିରେ ହୋଇଥିଲା ମୁଗ, ବିରି ଚାଷ । ହେଲେ କୁହୁଡି କାରଣରୁ ଯଉ ପୋକ ଲାଗି ଯିବାରୁ ପତ୍ର ଗୁଡିକ ନଷ୍ଟ ହୋଇଗଲାଣି । ଉଜୁଡା ଫସଲକୁ ଦେଖି ଏବେ ଚିନ୍ତାରେ ଚାଷୀ ।
ଚାଷୀଙ୍କ ପିଛା ଛାଡୁନି ଦୁଃଖ । କୁହୁଡି ଦୋହଲାଇଦେଲା ଚାଷୀର ମେରୁଦଣ୍ଡ । ନଷ୍ଟ ହୋଇଗଲାଣି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଫସଲ । ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ ଓ ଶେରଗଡ ଅଞ୍ଚଳରେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାଣ ପାଲଟିଛି ଯଉ ପୋକ । ଧାନ ଫସଲ ପରେ ପାଖାପାଖି ତିନି ହଜାର ହେକ୍ଟର ଜମିରେ ବିରି, ମୁଗ ଚାଷ କରିଥିଲେ ଚାଷୀ । ଆଶା କରିଥିଲେ ଭଲ ଫସଲ ଅମଳ ହେବ । ହେଲେ ଠିକ ମୁଗ, ବିରି ଗଛରେ ଫୁଲ ଧରିବା ବେଳକୁ ଯଉ ପୋକ ଲାଗିବାରୁ ପତ୍ର ଗୁଡିକ ନଷ୍ଟ ହୋଇଗଲାଣି । ଯାହାକୁ ଦେଖି ଚାଷୀ ମୁଣ୍ଡର ହାତ ଦେଇ ବସିଛି । କେମିତି ଧାର କରଜ ସୁଝିବେ ଆଉ ପରିବାର ପ୍ରତିପୋଷଣ କରିବାକୁ ତାକୁ ନେଇ ଚିନ୍ତାରେ ଚାଷୀ କୂଳ ।
ପୂର୍ବରୁ ଅଦିନିଆ ବର୍ଷାରେ ଧାନ ଫସଲ ଯାହା ନଷ୍ଟ ହୋଇଥିଲା ଆଜି ପର୍ଯ୍ଯନ୍ତ ସରକାରୀ ସ୍ତରରେ ଚାଷୀଙ୍କୁ କ୍ଷୟକ୍ଷତି ମିଳି ନାହିଁ । ଏବେ ପୁଣି କୁହୁଡି ଯୋଗୁଁ ମୁଗ ବିରି ଫସଲରେ ଯଉ ପୋକ ଲାଗିବା ଯୋଗୁଁ ପତ୍ର ଝଡା ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।