ପକୂଳ ଓଡ଼ିଶାରେ ବଢିଲା ତାତି, ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି

ଭୁବନେଶ୍ୱର: ମାଘ ମାସରେ ବାଘ ଖରା। ଉପକୂଳ ଓଡ଼ିଶାରେ ବଢିଲା ତାତି। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ।

ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । ତାତି ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଅସ୍ତବ୍ୟସ୍ତ କରିବ। ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଗଜତସିଂହପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୨ ତାରିଖରେ ଘନ କୁହୁଡି ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁରକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି ହୋଇଛି । ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ସହେପଟେ ଗତ ୧୦ ଦିନ ହେବ ଲଗାତର ଉପକୂଳ ଓଡ଼ିଶାରେ ଘନ କୁହୁଡି ଅନୁଭୁତ ହେଉଛି । ବଙ୍ଗୋପସାଗରରେ ଗୁରୁଚାପ ବଳୟ ପାଇଁ ଘନ କୁହୁଡି ଲାଗିରହିଛି । ୨୦୧୯ ରୁ ୨୦୨୫ ମଧ୍ୟରେ ପ୍ରଥମ ଥର ପାଇଁ ଲଗାଣ ୧୦ ଦିନ କୁହୁଡି ଅନୁଭୁତ ହେଉଛି ।