ସୀମା ଟପିଲା ଦାଦନ ନିର୍ଯ୍ୟାତନା, ଅଙ୍ଗେଲିଭା କାହାଣୀ ବଖାଣିଲେ ଉଦ୍ଧାର ଶ୍ରମିକ
1 min readବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ । ଦାଦନ ନିର୍ଯାତନା ସବୁ ସୀମା ଟପିଛି । ତେଲେଙ୍ଗାନାରୁ ଫେରିବା ପରେ ଦୁଃଖ ବଖାଣିଛନ୍ତି ଲୋକେ । ଗତ ନଭେମ୍ବର ମାସରେ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ପପୁ ଖାନ ବଲାଙ୍ଗୀର ଜିଲ୍ଲାର ନାନ୍ଦୁପଲ୍ଲା, ମହରାପଦର ଓ ସରମୁହାଣ ଗାଁର ୨୩ ଜଣ ଶ୍ରମିକକୁ ବେଆଇନ ଭାବେ ତେଲେଙ୍ଗାନା ଚାଲାଣ କରିଥିଲା । ଶ୍ରମିକଙ୍କୁ ରଙ୍ଗାରେଡ୍ଡୀ ଜିଲ୍ଲା ସୁଲତାନପଲ୍ଲୀରେ ଥିବା GNB ଇଟାଭାଟିକୁ ନିଆଯାଇଥିଲା । ଇଡାଭାଟି ମାଲିକଙ୍କ ଠାରୁ ଜଣକ ପିଛା ୩୦ ହଜାର ଟଙ୍କା ନେଇ ଚାଲିଆସିଥିଲା ଦାଦନ ଶ୍ରମିକ । ଇଟାଭାଟି ମାଲିକ ସପ୍ତାହରେ ପରିବାର ପିଛା ୨ ଶହ ଟଙ୍କା ଖାଇବାକୁ ଦେଇଥିଲା । ଇଟାଭାଟିରେ ମହିଳା, ଯୁବତୀ ଶ୍ରମିକକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦ କଲେ ପୁରୁଷ ଶ୍ରମିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିଲେ ଇଟାଭାଟି ମାଲିକ ଓ ତାର ଗୁଣ୍ଡା । ଶ୍ରମିକମାନଙ୍କୁ ୨୪ ଘଣ୍ଟା ଜଗିରହୁଥିଲେ ଇଟାଭାଟି ମାଲିକର ଗୁଣ୍ଡା । ଦେହ ଅସୁସ୍ଥ ହେଲେ ମଧ୍ୟ କାମ କରିବାକୁ ପଡୁଥିଲା । ୨ ମାସ ଧରି ନିର୍ଯାତିତ ପରେ ଶ୍ରମିକମାନେ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ । ଜିଲ୍ଲା ଶ୍ରମବିଭାଗ ସହାୟତରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକମାନେ ଭୋକ ଉପାସରେ ଟ୍ରେନରେ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିବା ପରେ ସର୍ଦ୍ଦାର ପପୁ ଖାନର ଗୁଣ୍ଡାମାନେ ସେମାନଙ୍କୁ ହତ୍ୟା ଧମକ ଦେଇଥିଲେ । ଭୟରେ ଗାଁକୁ ନଫେରି ଜିଲ୍ଲା ଓ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକ ଚାଲାଣ ରୋକିବାକୁ ଟାସ୍କଫୋର୍ସ ଗଠନ କରାଯାଇଛି । ନାମକୁ ମାତ୍ର ଟାସ୍କଫୋର୍ସ ଗଠନ କରି ସରକାର ଚୁପ୍ ରହିଥିବା ବେଳେ ଜିଲ୍ଲା ଶ୍ରମବିଭାଗ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହୋଇଛି ।