ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା, ବିଚାର ପ୍ରକ୍ରିୟା ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ
ନନ୍ଦିଘୋଷ ବ୍ୟୁରୋ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା। ବିଚାର ପ୍ରକ୍ରିୟା ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ୪ ସପ୍ତାହ ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଚିସ ହୃଷିକେଶ ରାୟ ଓ ଜଷ୍ଟିସ ଏସ ଭି ଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ୬ ସପ୍ତାହ ପରେ ହେବ ବୋଲି ଜଣାପଡିଛି। ଏହି ମାମଲାରେ ଏବେ ବି ଆହୁରି ଦୁଇ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇ ନଥିବା ରାଜ୍ୟ ସରକାରଙ୍କ ଓକିଲ ଦର୍ଶାଇଥିଲେ।
ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଓଡିଶା ହାଇକୋର୍ଟ ଖାରଜ କରିଥିଲେ। ପିଏଚଡି ପାଇଁ ଥେସିସ ପ୍ରଦାନ କରିବା, ସାମ୍ବାଦିକ ଓ ଗଣଯୋଗାଯୋଗ ପରୀକ୍ଷାର ୪ର୍ଥ ସେମିଷ୍ଟାର ପାଇଁ ପରୀକ୍ଷା ଦେବା, ଶରୀର ଅସୁସ୍ଥ ଥିବା ପ୍ରଭୃତି କାରଣ ଦର୍ଶାଇ ସେ ଜାମିନ ଆବେଦନ କରୁଥିଲା । ହେଲେ ହାଇକୋର୍ଟ ଜାମିନ ଦେଇନଥିଲେ ।
୨୦୧୮ ଫେବୃଆରୀ ମାସ ୨୩ ତାରିଖ ଦିନ କୋରିଅରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ବଲାଙ୍ଗୀର ପାଟଣାଗଡରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେମାମଣି ସାହୁଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀ ରିମା ଗୁରୁତର ଆହତ ହୋଇଥିଲେ । ବଲାଙ୍ଗୀର ଜ୍ୟୋତି ବିକାଶ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଥିବା ପୁଞ୍ଜିଲାଲ ସହିତ ମୃତକ ସୌମ୍ୟ ଶେଖରଙ୍କ ମାଆଙ୍କର ବିବାଦକୁ ନେଇ ଏହି ଅଘଟଣ ଘଟିଥିଲା ବୋଲି ଆଲୋଚନା ହୋଇଥିଲା। ସୌମ୍ୟଙ୍କ ମାଆ ସେହି କଲେଜରେ ଅଧ୍ୟକ୍ଷ ଥିଲେ।