‘ସିସିଟିଭିରେ ନଜର ଆସୁଥିବା ଦୁର୍ବୃତ୍ତ ମୋ ପୁଅ ନୁହେଁ, ଗିରଫ ଶରିଫୁଲ ଆକ୍ରମଣକାରୀ ନୁହେଁ’ : ଶରିଫୁଲଙ୍କ ବାପା
ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆସିପାରେ ନୂଆ ମୋଡ଼ । ସିସିଟିଭିରେ ନଜର ଆସିଥିବା ଆକ୍ରମଣକାରୀ ଗିରଫ ଅଭିଯୁକ୍ତ ଶରିଫୁଲ ଇସଲାମ ନୁହଁ ବୋଲି କହିଛନ୍ତି ଶରିଫୁଲଙ୍କ ବାପା । ସିସିଟିଭିରେ ଦେଖାଯାଉଥିବା ଯୁବକ ତାଙ୍କ ପୁଅ ନୁହେଁ ବୋଲି କହିଛନ୍ତି ଶରିଫୁଲର ବାପା ରୁହୁଲ ଅମୀନ। ରୁହୁଲ ଅମୀନଙ୍କ ଏହି ବୟାନ ପରେ ଘଟଣା ନୂଆ ମୋଡ଼ ନେଇପାରେ। ଅନ୍ୟପଟେ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶିଥିବା ଦୁର୍ବୃତ୍ତ ଏବଂ ଧରାପଡ଼ିଥିବା ଅଭିଯୁକ୍ତ ଜଣେ ବୋଲି କହୁଛି ମୁମ୍ବାଇ ପୋଲିସ ।
ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମଙ୍କ ପିତା କହିଛନ୍ତି – ସିସିଟିଭିରେ ଯିଏ ଦେଖାଯାଉଛି ସେ ମୋ ପୁଅ ନୂହେଁ, ମୋ ପୁଅ କେବେ ବି ଲମ୍ବା କେଶ ରଖେ ନାହିଁ । ମୋ ପୁଅକୁ ଫସେଇ ଦିଆଯାଇଛି । ସେ ବାଂଲାଦେଶ ଛାଡି କେବଳ ଗୋଟିଏ କାରଣ ପାଇଁ ଭାରତ ଆସିଥିଲେ – ବାଂଲାଦେଶରେ ରାଜନୈତିକ ଅସ୍ଥିରତା । ସେ ବାଂଲାଦେଶରେରେ କାମ କରୁଥିଲେ ଏବଂ ଭଲ ଦରମା ପାଇଥିଲେ ଏବଂ ତାଙ୍କୁ ନିଯୁକ୍ତିଦାତା ମଧ୍ୟ ପୁରସ୍କୃତ କରିଥିଲେ ।
ପୋଲିସ ସିସିଟିଭିର ସାହାଯ୍ୟ ନେଇ ଶରିଫୁଲକୁ ଧରିଥିଲା । କିଛି ଦିନ ତଳେ ପୋଲିସ ଠାଣେରୁ ସୈଫ ଅଲ୍ଲୀ ଖାନଙ୍କ ଉପରେ ହମଲା କରିଥିବା ଅଭିଯୁକ୍ତ ଶରିଫୁଲ ଇସଲାମକୁ ଧରିଥିଲା । ସେ ଜଣେ ବାଂଲାଦେଶୀ ନାଗରିକ । ଭାରତରେ ଅବୈଧ ଭାବରେ ନାମ ବଦଳାଇ ନିଜକୁ ବିଜୟ ଦାସ ଭାବେ ପରିଚୟ ଦେଇ ରହୁଥିଲା । ଗତ ୧୬ ଜାନୁଆରୀରେ ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଚୋରି ଉଦ୍ଦେଶ୍ୟରେ ଘରେ ପଶି ସୈଫ ଅଲ୍ଲୀ ଖାନଙ୍କୁ ହମଲା କରିଥିଲା ଆକ୍ରମଣକାରୀ ।
ସୈଫ ଅଲ୍ଲି ଖାନ ମଙ୍ଗଳବାର ଦିନ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି । ତେବେ ଫୋରେନସିକ ରିପୋର୍ଟ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ଫିଙ୍ଗରପ୍ରିଣ୍ଟସ ମହମ୍ମଦ ଶରିଫୁଲଙ୍କ ଫିଙ୍ଗରପ୍ରିଣ୍ଟ ସହ ମେଳ ଖାଉଛି । ସୈଫଙ୍କ ପୁଅ ଜାହାଙ୍ଗୀରଙ୍କ ରୁମ କବାଟ, ବାଥରୁମ କବାଟ ଏବଂ ପାଇପଲାଇନରେ ମିଳିଥିବା ଫିଙ୍ଗର ପ୍ରିଣ୍ଟ ସହିତ ମେଳ ଖାଉଛି । ଏଥିସହ ପୋଲିସ ଶରିଫୁଲଙ୍କ ବାଂଲାଦେଶୀ ଆଇଡି କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି ।