କଣାସ ସ୍ଥିତିରେ ସାମାନ୍ୟ ସୁଧାର:ପୁରୀ ଜିଲ୍ଲାପାଳ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାପାଳ କହିଛନ୍ତି, କଣାସ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିନି। ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଗାଁଗୁଡ଼ିକର ସ୍ଥିତି ପରଖା ଯାଇଛି । ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝାଯାଇଛି । ପାନୀୟ ଜଳ ଓ ଅନ୍ୟାନ୍ୟ ସହାୟତା ନେଇ ନିୟୋଜିତ ଅଧିକାରୀଙ୍କ ସହ ବି ଆଲୋଚନା କରାଯାଇଛି । ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ବାହାରୁ ଦୁଇ ଜଣ ଯନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ସଂକ୍ରମିତ ଅଞ୍ଚଳରେ ନିୟୋଜିତ କରାଯାଇଛି । କଣାସ ବ୍ଲକ୍ରେ ୪୨ଟି ନଈ କୂଳିଆ ଗାଁ ରହିଛି। ଏମାନେ ଦୟା, ମକରା, ଲୁଣା ଆଦି ନଈ ପାଣି ଉପରେ ନିର୍ଭର କରନ୍ତି । ଜାଗୁଳାଇପଦର, ନୂଆଗାଁ, ନଇକୂଳ ପାଟଣା, ନୂଆ ଦୋକନ୍ଦା, ପାଇକ ମରା, ଗୋପୀନାଥପୁର ଏଭଳି ୬ଟି ଗାଁ ଝାଡ଼ାବାନ୍ତି ବ୍ୟାପିଛି। କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୨ଜଣ ଚିକିତ୍ସିତ ହେଉଛନ୍ତି । ଯେଉଁ ଗାଁର ଲୋକେ ଦୟା ନଦୀର ପାଣି ବ୍ୟବହାର କରୁଥିଲେ ସେମାନଙ୍କ ପାଇଁ ଯଥେଷ୍ଟ ମାତ୍ରାରେ ପାଣି ଟ୍ୟାଙ୍କର ରଖାଯାଇଛି । ଦୟାନଦୀରେ ନୂଆଗାଁଠାରେ ଥିବା ତୁଠକୁ ବାଉଁଶବାଡ଼ ଦିଆଯାଇ ନାଲିପିତା ବନ୍ଧା ଯାଇଛି। ମୁଣ୍ଡୁଳିରୁ ଛଡା ଯାଇଥିବା ପାଣିକୁ ବିଶୋଧନ କରିବା ପାଇଁ ଦୋକନ୍ଦା ଓ ନୂଆଦୋକନ୍ଦାଠାରେ ଦୟା ନଦୀ ଉପରେ ବାଉଁଶ ବନ୍ଧା ଯାଇ ବ୍ଲିଚିଂ ଅଖା ନଦୀରେ ଝୁଲାଯାଇଛି।