ନିଶା ଖାଇ ଗାଡି ଚଳାଇଲେ ନିସ୍ତାର ନାହିଁ

ନନ୍ଦିଘୋଷ ବ୍ୟୁରୋ: ନିଶା ଖାଇ ଗାଡି ଚଳାଇଲେ ନିସ୍ତାର ନାହିଁ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲା କମିଶନରେଟ ପୋଲିସ। ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନିର୍ଦ୍ଦେଶ ଓ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ୧୦ଟି ସ୍ଥାନରେ କଡାକଡି ଚେକିଂ କରିଛି କମିଶନରେଟ ପୋଲିସ। ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କ ଗାଡି ସିଜ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ। ଏପରିକି ବାରମ୍ବାର ନିୟମ ଭାଙ୍ଗି ମଦ୍ୟପାନ କରି ଟ୍ରାଫିକ ଆଇନ ଅବମାନନା କରୁଥିବା ରୋଡ଼ ରୋମିଓଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ପ୍ରୟାସ ଆରମ୍ଭ ମଧ୍ୟ ହୋଇଛି। ଏ ନେଇ ଆରଟିଓ ଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ରାଜଧାନୀ ରାତିରେ ସ୍ପୀଡ଼ ଡ୍ରାଇଭ କରି ଲୋକଙ୍କ ଛାତିରେ ଛନକା ପୁରାଇଦେଉଥିବା ସହ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟାଉଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ଛକରେ ଚେକିଂ, ବ୍ଲକିଂ ବ୍ୟାପକ କରାଯିବ। ଅପରାଧ ଦମନ, ନିଶାଖୋରଙ୍କୁ ଛାଟ, ବେଆଇନ ଖଟି ରୋକିବା ସହ ସହରରେ ଆଇନଶୃଙ୍ଖଳା ରକ୍ଷା କମିଶନରେଟ ପୋଲିସର ପ୍ରାଥମିକତା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।