ଡୋନାଲଡ ଟ୍ରମ୍ପଙ୍କ ଡିନର ପାର୍ଟିରେ ସାମିଲ ହେଲେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ: ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ଅମ୍ବାନୀ ଦମ୍ପତ୍ତି
1 min readଓ୍ବାଶିଂଟନ: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡୋନାଲଡ ଟ୍ରମ୍ପ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଶପଥ ଗ୍ରହଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପୂର୍ବରୁ ସାରା ଦୁନିଆର କୋଣ ଅନୁକୋଣରୁ ବଛା ବଛା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାତ୍ରିଭୋଜନ ନିମନ୍ତେ ନିମନ୍ତ୍ରଣ ଦିଆଯାଇଥିଲା । ସବୁଠାରୁ ବଡ଼ କଥ ହେଉଛି ଓ୍ବାଶିଂଟନରେ ଆୟୋଜିତ ହୋଇଥିବା ଏହି ପ୍ରାଇଭେଟ ରିସେପସନ ପାର୍ଟିରେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ସାମିଲ ହୋଇଥିଲେ ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚିତ ହୋଇଥିବା ଟ୍ରମ୍ପଙ୍କୁ ଶପଥ ଗ୍ରହଣ ପୂବର୍ରୁ ଅମ୍ବାନୀ ଦମ୍ପତ୍ତି ଅଭିନନ୍ଦନ ଜଣାଇଥିଲେ । ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଅମ୍ବାନୀ ଦମ୍ପତ୍ତି ଆଶାବ୍ୟକ୍ତ କରିଥିଲେ । ଏଥିସହିତ ଟ୍ରମ୍ପଙ୍କ ପରିବର୍ତ୍ତନକାରୀ ନେତୃତ୍ବରେ ଦୁଇ ରାଷ୍ଟ୍ରର ବିକାଶ ହେବା ସହ ସମଗ୍ର ବିଶ୍ବର ବିକାଶ ହେବ ବୋଲି ଅମ୍ବାନୀ ଶୁଭକାମନା ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ନିମନ୍ତ୍ରଣ ପାଇ ଅମ୍ବାନୀ ଦମ୍ପତ୍ତି ଆମେରିକା ଯାତ୍ରା କରି ଏହି ପାର୍ଟିରେ ସାମିଲ ହୋଇଥିଲେ । ଶପଥ ଗ୍ରହଣ ସମାରୋହରେର ବିଶ୍ବର ସବୁଠାରୁ ପ୍ରଭାବଶାଳୀ କୋଟିପତି ଓ ରାଜନେତାଙ୍କ ସମେତ ବିଦେଶୀ ନେତାମାନେ ସାମିଲ ହେବାର ସମ୍ଭାବନା ରହିଛି । ଜାନୁଆରୀ ୧୮ରେ ଅମ୍ବାନୀ ଦମ୍ପତ୍ତି ଆମେରିକାର ରାଜଧାନୀ ଓ୍ବାଶିଂଟନରେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ରାତ୍ରିଭୋଜନରେ ଅମ୍ବାନୀ ବୋଧହୁଏ ଏକମାତ୍ର ଭାରତୀୟ ଭାବେ ସାମିଲ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଟ୍ରମ୍ପଙ୍କ ପରିବାରର ବ୍ୟକ୍ତିଗତ ନିମନ୍ତ୍ରିତ ଅତିଥି ଭାବେ ଅମ୍ବାନୀ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଅମ୍ବାନୀ ପରିବାର ସହ ଟ୍ରମ୍ପଙ୍କ ପରିବାରର ଘନିଷ୍ଠ ସମ୍ପର୍କ ରହିଛି ।