ଏମାରଜେନ୍ସି ଓ ଆଜାଦ ମଧ୍ୟରେ କେମିତି ରହିଛି ପ୍ରଥମ ଦିନର ରୋଜଗାର ?
1 min readମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ ଏମାରଜେନ୍ସି’ ବକ୍ସ ଅଫିସରେ ମୁକ୍ତିଲାଭ କରିଛି । ଅନ୍ୟପକ୍ଷରେ ରାଶା ଥାଡାନି ଏବଂ ଅମାନ ଦେବଗନଙ୍କ ଡେବ୍ୟୁ ଫିଲ୍ମ ‘ଆଜାଦ’ ମଧ୍ୟ ରିଲିଜ ହୋଇଛି । ଉଭୟ ଚଳଚ୍ଚିତ୍ର ୧୭ ଜାନୁଆରୀ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିଲା। ଉଭୟ ଚଳଚ୍ଚିତ୍ର ରୋଜଗାରରେ କିଏ ଆଗରେ ଅଛି ଆସନ୍ତୁ ଜାଣିବା ।
ଦୀର୍ଘ ଦିନ ଧରି ବିବାଦରେ ଫସି ରହିବା ପରେ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମାରଜେନ୍ସି’ ଜାନୁଆରୀ ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୟକୁ ଦେଖିଲେ ସେ କଙ୍ଗନା ବୋଲି ଜଣା ପଡୁନାହାନ୍ତି । ‘ଏମାରଜେନ୍ସି’ର ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ, ସାକନିଲ୍କ ରିପୋର୍ଟ ଅନୁଯାୟୀ , ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୨.୪ କୋଟି ଟଙ୍କା ରୋଜଗାର କରିଛି । ସକାଳ ଏବଂ ଅପରାହ୍ନ ମଧ୍ୟରେ ଫିଲ୍ମ ଶୋ’ର ୧୦-୧୫ ପ୍ରତିଶତ ସିଟରେ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା । ତଥାପି, ସପ୍ତାହ ଶେଷରେ ରୋଜଗାରର ବୃଦ୍ଧି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି ।
ରାଶା ଥାଡାନି ଏବଂ ଅମାନ ଦେବଗନଙ୍କ ଡେବ୍ୟୁ ଫିଲ୍ମ ‘ଆଜାଦ’ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ବି ଦେଖିବାକୁ ମିଳିଛି । ତଥାପି, ତାଙ୍କର ଏଣ୍ଟ୍ରି ମଧ୍ୟ ଦର୍ଶକଙ୍କୁ ଥିଏଟର ପ୍ରତି ଆକର୍ଷିତ କରିପାରି ନଥିଲା । ଚଳଚ୍ଚିତ୍ରର ‘ଉଇ ଆମ୍ମା’ ଗୀତ ଚର୍ଚ୍ଚାରେ ରହିଥିଲା । କିନ୍ତୁ ପ୍ରଥମ ଦିନରେ ସେମିତି କିଛି ଖାସ ଦେଖିବାକୁ ମିଳିନଥିଲା । ସାକନିଲ୍କ ରିପୋର୍ଟ ଅନୁଯାୟୀ, ‘ଆଜାଦ’ ପ୍ରଥମ ଦିନ ମାତ୍ର ୧.୫୦ କୋଟି ଟଙ୍କା ରୋଜଗାର କରିଛି । ରୋଜଗାର ଦୃଷ୍ଟିରୁ କଙ୍ଗନା ରାନାୱତଙ୍କ ‘ଏମାରଜେନ୍ସି’ ବର୍ତ୍ତମାନ ‘ଆଜାଦ’ଠାରୁ ଆଗରେ ରହିଛି ।