ଚାଷୀଙ୍କ କଥା ଭୁଲି FAQ ଆଳ ଦେଖାଇଲେ ମନ୍ତ୍ରୀ, ବିଜେଡିର ଅଭିଯୋଗ ଟୋକନ ବି ବିକ୍ରି କରିଛନ୍ତି ସରକାର

ଭୁବନେଶ୍ବର : ସତ ମାନିଲେ ମନ୍ତ୍ରୀ। ଧରା ପଡ଼ିଲା ବାହସ୍ଫୋଟ। ଧାନ ମଣ୍ଡିରେ ଚାଲିଛି କଟନୀ ଛଟନୀ । କଟନୀ ଛଟନୀ ହେବ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ବିଜେପି ସରକାର ନିଜ ଛେପ ନିଜେ ଢୋକିଛନ୍ତି। କଟନୀ ଛଟନୀ ପାଇଁ ମାନକୁ ଆଳ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଅଦିନିଆ ବର୍ଷାରେ ଧାନର ମାନ କମିଥିବାରୁ ୩ରୁ ୪ କେଜି କଟାଯାଉଛି। ନିଜ ବିଫଳତା ଲୁଚାଇ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି, ଚାଷୀ ଦେଖୁଛନ୍ତି ଅଳ୍ପ କାଟିଲେ ବି 3100 ଟଙ୍କା ପାଇବେ। ବାହାରେ ବିକିଲେ 2100 ରୁ 2200 ଟଙ୍କା ମିଳିବ।  ସେଥିପାଇଁ କିଛି କାଟିଲେ ବି ଚାଷୀ  ଧାନ ବିକି ଦେଉଛନ୍ତି  ବୋଲି ମନ୍ତ୍ରୀ କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ପରେ ସମବାୟ ମନ୍ତ୍ରୀ ଧାନ କିଣାରେ କଟନୀ ଛଟନୀ ହେଉଥିବା ମାନିବା ପରେ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋ କରିଛନ୍ତି, ଧାନ ମଣ୍ଡିରେ କେବଳ କଟନୀ ଛଟନୀ ଚାଲିନାହିଁ, ଚାଷୀଙ୍କ ଟୋକନକୁ ବିକ୍ରି କରିଦେଇଛନ୍ତି ସରକାର। ଦଲାଲଙ୍କ ସହ ମଧୁଚନ୍ଦ୍ରିକା କରି ଧାନ ବିକ୍ରି ହେଉଛି । ଏଥିପାଇଁ ଚାଷୀ ବାଧ୍ୟ ହୋଇ  ଅଭାବୀ ବିକ୍ରି କରୁଛି ବୋଲି ଅଭିଯୋଗ କରିଛି ବିଜେଡି।

କଟନୀ ଛଟନୀ ପାଇଁ କଂଗ୍ରେସ ମଧ୍ୟ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛି। ବରିଷ୍ଠ ନେତା ଜୟଦେବ ଜେନା ଅଭିଯୋଗ କରିଛନ୍ତି, ମଣ୍ଡିରେ ମିଲର୍ ରାଜ୍ ଚାଲିଛି। ଅଯୋଗ୍ଯ ରାଜ୍ୟ ସରକାରଙ୍କ ଯୋଗୁଁ ଏବର୍ଷ ଧାନ ଠିକରେ ବିକ୍ରି ହୋଇପାରୁନାହିଁ । ଏ ସରକାର କେବଳ କଥା କୁହା ସରକାର। ରାଜ୍ୟ ସରକାରଙ୍କ ଅଘୋଷିତ ନିର୍ଦ୍ଦେଶରେ  କଟନି ଛଟନୀ ହେଉଛି। ଧାନ ପଡ଼ି ରହୁଛି, ସରକାର ଉଠାଉ ନାହାନ୍ତି । ବାଧ୍ୟ ହୋଇ ଚାଷୀ ୧୬ ଶହ ଟଙ୍କାରେ ବାହାର ରାଜ୍ଯର ବେପାରୀଙ୍କୁ ବିକୁଛି। ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି ଯେ ଧାନ କିଣାରେ ଚାଷୀଙ୍କୁ ଭଣ୍ଡେଇ ଦେଇଛନ୍ତି ରାଜ୍ୟ ସରକାର।  ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ପୁରା ରାଜ୍ୟରେ ଅସନ୍ତୋଷ। ସରକାର ଠିକରେ ଧାନ କିଣୁ ନାହାନ୍ତି। ପ୍ରତିବାଦରେ କେତେକ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଲେଣି ଚାଷୀ।