ବିଷ ପାଲଟିଛି ଦୟାନଦୀ, ଏବେ ଚିନ୍ତା ବଢ଼ାଇଛି କଳା କିଟିକିଟି ପାଣି
ପିପିଲି : ବିଷ ପାଲଟିଛି ଦୟାନଦୀ ପାଣି । କଳା କିଟିକିଟି ପାଣି ଏବେ ଚିନ୍ତା ବଢ଼ାଇଛି। । କଣାସ ଅଞ୍ଚଳର ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ। ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା ସହ ଦୟା ଜଳକୁ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି । ଏହି ନଦୀଜଳକୁ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି । ପ୍ରଦୂଷିତ ଜଳ ବ୍ୟବହାର ନକରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି । ସର୍ବାଧିକ ପ୍ରଭାବିତ ନୂଆଗାଁ ଓ ଜାଗୁଳାଇପଦରକୁ ପ୍ରଶାସନିକ ଅଧିକାରୀ ଗସ୍ତ କରିଛନ୍ତି । କଣାସ ଅଞ୍ଚଳର ଶତାଧିକ ଗାଁର ଲୋକେ ଦୟା, ମକରା ଓ ରଜୁଆ ନଦୀର ଜଳକୁ ପାନୀୟ ଜଳ ସହିତ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଉଥିଲେ । ଦୟାନଦୀ ପାଣି ପ୍ରଦୂଷିତ ହୋଇ ନିମ୍ନ ଅବବାହିକାର ଲୋକଙ୍କ ପାଇଁ ଜହର ପାଲଟିଛି । ଦୂଷିତ ଜଳ ଯୋଗୁଁ କଣାସ ବ୍ଲକର ବିଭିନ୍ନ ଗାଁରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଝାଡାବାନ୍ତି ବ୍ୟାପି କଣାସ ଅଞ୍ଚଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି । ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳର ଲୋକଙ୍କୁ ଦୟାନଦୀ ଜଳ ବ୍ୟବହାର ନକରିବାକୁ ସଚେତନ କରାଯାଉଛି । ଡାକ୍ତରୀ ଟିମ୍ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି।