କାରଖାନାରେ କାହିଁକି ନଥିଲା ସେଫଟି ବ୍ୟବସ୍ଥା: ବିପଜ୍ଜନକ ଅବସ୍ଥାରେ କିପରି କାମ କରୁଥିଲେ ଶ୍ରମିକ
1 min readରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡରେ ଦୁର୍ଘଟଣାକୁ ନେଇ ଉତ୍ତେଜନା। ୩ ଶ୍ରମିକ ନିଖୋଜ ଥିବାବେଳେ ଏହି ଘଟଣାକୁ ନେଇ କାରଖାନା ବାହାରେ ଲୋକେ ହୋହଲ୍ଲା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ, ୫ଟି ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଥିବା କର୍ମଚାରୀଙ୍କ ସଂପର୍କୀୟ ତାଙ୍କ ପରିଜନଙ୍କ କୌଣସି ଖୋଜ ଖବର ନ ପାଇବାରୁ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରି କାରଖାନା ଭିତରକୁ ଧସେଇ ପଶିଛନ୍ତି।
କମ୍ପାନୀର ସୁରକ୍ଷା କର୍ମୀ , ପୋଲିସ ଅଧିକାରୀ ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରିବାରୁ ଉତ୍ତେଜନା ଦେଖା ଯାଇଥିଲା । ସକାଳୁ କାରଖାନା ବାହାରେ ମଧ୍ୟ ଶହ ଶହ ସଂଖ୍ୟାରେ ଅଞ୍ଚକବାସୀ ରୁଣ୍ଡ ହୋଇ ଥିବା ବେଳେ ଉଦ୍ଧାର କାର୍ଯ୍ୟ ରେ ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଗତକାଲି ପାୱାର ପ୍ଲାଣ୍ଟର ବଏଲରକୁ କୋଇଲା ଯୋଗାଉଥିବା ୨ଟି ବଙ୍କର ଭୁଶୁଡି ପଡିବା ଫଳରେ ଅଘଟଣ ଘଟିଥିଲା। ନିଖୋଜ ବ୍ୟକ୍ତିମାନେ ହେଲେ ରଞ୍ଜିତ ଭୋଳ, ସୁଶାନ୍ତ ରାଉତ ଓ ଦଶରଥ ପାତ୍ର। ରଞ୍ଜିତ ଜଣେ ଫିଟର ଏବଂ ସେ ମଧୁସୂଦନ କଲୋନୀର ବାସିନ୍ଦା। ଦଶରଥ ଆଇଟି କଲୋନୀରେ ରହୁଥିଲେ। ସୁଶାନ୍ତ ଜଣେ ବଏଲର ଅପରେଟର। ସେପଟେ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ଦାବି ହୋଇଛି । NIT କିମ୍ବା IITର ଜାତୀୟ ସ୍ତରର ଏକ ଟିମ ଯାଞ୍ଚ କରି ରିପୋର୍ଟ ଦେବାକୁ ଦାବି ହୋଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ସମ୍ପୂର୍ଣ୍ଣ ଵନ୍ଦ କରି କାରଖାନା ସିଲ କରିବା ପାଇଁ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ଦାବି କରିଛନ୍ତି ।