ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, ଅଡୁଆରେ ନୂଆଦିଲ୍ଲୀ ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମା
ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟରଙ୍କୁ ଜୋତା ବାଣ୍ଟିବାର ଏକ ଭିଡିଓ ପ୍ରସାରିତ ହେବା ପରେ ରୁଜୁ ହୋଇଛି ମାମଲା । ହାଇପ୍ରୋଫାଇଲ ନୂଆଦିଲ୍ଲୀ ଆସନରେ ପରବେଶଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତ । ମହିଳାଙ୍କୁ ଜୋତା ବାଣ୍ଟିବାର ଭିଡିଓ ସମ୍ପର୍କରେ ଜାଣିବା ପରେ ମାମଲା ରୁଜୁ ଲାଗି ଷ୍ଟେସନ ହାଉସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ।
ଜନପ୍ରତିନିଧି ଆଇନର ଧାରା ୧୨୩ ଅନୁସାରେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରାର୍ଥୀ କିମ୍ବା ଏଜେଣ୍ଟ କୌଣସି ମାଗଣା ଉପହାର ଦେବା ବା ପ୍ରତିଶ୍ରୁତି ଦେବାକୁ ଦୁର୍ନୀତି ବିବେଚନା କରାଯାଏ । ସପ୍ତାହକ ମଧ୍ଯରେ ପରବେଶଙ୍କ ବିରୋଧରେ ଏହା ହେଉଛି ଦ୍ବିତୀୟ ମାମଲା । ମହିଳା ଭୋଟରଙ୍କୁ ୧୧ ଶହ ଲେଖାଏ ଟଙ୍କା ବାଣ୍ଟିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ହର୍ ଘର୍ ନୌକରି ଯୋଜନାକୁ ପ୍ରମୋଟ କରୁଥିବା ଦର୍ଶାଇ ପରବେଶଙ୍କ ବିରୋଧରେ ଗତ ୮ ତାରିଖରେ ଅଭିଯୋଗ କରିଥିଲା ଆପ୍ । ତେବେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ଯାନ କରିଥିଲେ ନିର୍ବାଚନ ଅଧିକାରୀ । ଏହି ମାମଲାରେ ପରବେଶଙ୍କୁ କ୍ଲିନ ଚିଟ୍ ମିଳିବା ପରେ କ୍ଷୁବ୍ଧ ହୋଇଥିଲେ କେଜରିଓ୍ବାଲ ।