ଛତିଶଗଡ଼ ସୂରଜପୁରରେ ରିପୋର୍ଟରଙ୍କ ପରିବାର ସଦସ୍ଯଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ସୂରଜପୁରରେ ଆଜତକର ଜିଲ୍ଲା ରିପୋର୍ଟରଙ୍କ ପରିବାର ସଦସ୍ଯଙ୍କୁ ହତ୍ୟା । ରିପୋର୍ଟର ସନ୍ତୋଷ କୁମାର ଟପ୍ପୋଙ୍କ ବାପା, ମା ଓ ଭାଇଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ ।  ସମ୍ପତ୍ତିଗତ ବିବାଦ କାରଣରୁ ସେମାନଙ୍କୁ ହତ୍ଯା କରାଯାଇଛି । ଗତ ୧୦ ତାରିଖରେ ହୋଇଥିବା ହତ୍ଯାକୁ ନେଇ ରାଜ୍ଯରେ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଗତ ଶୁକ୍ରବାର ସନ୍ତୋଷଙ୍କ ବାପା ମାଘେ ଟପ୍ପୋ, ମା ବାସନ୍ତୀ ଟପ୍ପୋ, ଭାଇ ନରେଶ ଟପ୍ପୋ ଜଗନ୍ନାଥପୁରସ୍ଥିତ ନିଜ ଫାର୍ମକୁ ଯାଇଥିଲେ । ତେବେ ଏହି ଜମିକୁ ନେଇ ପୂର୍ବରୁ ପାରିବାରିକ ବିବାଦ ରହିଥିଲା । ସେମାନେ ସେହି ଜମିରେ ଥିବାବେଳେ ୬ରୁ ୭ ଜଣ ବ୍ଯକ୍ତି ସେଠାରେ ପହଞ୍ଚି ଗଣ୍ଡଗୋଳ ସୃଷ୍ଟି କରିଥିଲେ । ପରେ ଫାର୍ସା ଓ ଲାଠିରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାସନ୍ତୀ ଓ ନରେଶଙ୍କ ମୃତ୍ଯୁ ଘଟିଥିବାବେଳେ ଗୁରୁତର ଆହତ ମାଘେଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ଯତମ ଭାଇ ଉମେଶ ଖସିଯାଇଥିଲେ । ଏହି ବିବାଦୀୟ ଜମି ପ୍ରସଙ୍ଗରେ ମାମଲା କୋର୍ଟକୁ ଯାଇଥିଲା ଏବଂ କୋର୍ଟ ସନ୍ତୋଷଙ୍କ ପରିବାର ସପକ୍ଷରେ ରାୟ ଦେଇଥିଲେ । ଖର୍ଗାଓ୍ବା ଓ ପ୍ରତାପପୁର ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ଛତିଶଗଡ଼ରେ ଅନ୍ୟ ଜଣେ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ଯା କରିବାର କିଛି ଦିନ ପରେ ଏହି ହତ୍ଯାକାଣ୍ଡ ଘଟିଛି । ବିଜାପୁର ଜିଲ୍ଲାରେ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିଥିବାରୁ ମୁକେଶଙ୍କୁ ଗତ ଜାନୁଆରୀ ୧ରେ ଅମାନୁଷିକ ହତ୍ଯା କରାଯାଇଥିଲା । ଏହି ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ଗତ ଜାନୁଆରୀ ୫ରେ ଗିରଫ କରାଯାଇଥିଲା ।