ଶିଶ୍ ମହଲ୍ ବନାମ ରାଜମହଲ ; ଚର୍ଚ୍ଚାରେ ଆଡ଼ମ୍ବରପୂର୍ଣ୍ଣ ବାସଭବନ

ନୂଆଦିଲ୍ଲୀ :  ଦିଲ୍ଲୀରେ ଶିଶ୍ ମହଲ ରାଜନୀତିକୁ ନେଇ ହାଇଡ୍ରାମା। ବିଜେପିର ଅଭିଯୋଗ ଯେ, କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫୨ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ସରକାରୀ ବାସଭବନକୁ ମରାମତି କରିଥିଲେ। ସେଠାରେ ରହିଛି ସୁଇମିଂ ପୁଲ୍‌, ମଦ ବାର୍। କେଜରିୱାଲଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଆମ୍ ଆଦମୀ ଚେହେରା ଧୁଆଁବାଣ ବୋଲି ବିଜେପି ଅଭିଯୋଗ କରିଆସୁଛି। ଏପରିକି ସିସ୍ ମହଲକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ବିଜେପିର ଏହି ଅଭିଯୋଗ କେତେ ସତ କେତେ ମିଛ,ତାର ରିୟଲିଟି ଚେକ୍ ପାଇଁ ଆଜି ମିଡିଆ ଧରି ସେଠାରେ ପହଞ୍ଚିଥିଲେ ଆପ୍ ନେତା। କିନ୍ତୁ ପୋଲିସ ବ୍ୟାରିକେଡ୍ ସହିତ କଡ଼ା ସୁରକ୍ଷା କରିଥିଲା।

ଆପ୍ ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରେ କାହାକୁ ପଶିବାକୁ ଦେଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଓ ପୋଲିସ। ଆପ୍ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ଵାଜ ପ୍ରଶ୍ନ କରିଛନ୍ତି, ଯଦି ବିଜେପିର ଅଭିଯୋଗ ସତ, ତେବେ ତାର ଯାଞ୍ଚ ପାଇଁ କାହିଁକି ମିଡିଆକୁ ଭିତରକୁ ଛାଡୁନି। ଡର କାହାକୁ। ଏଥିରୁ ବିଜେପିର ମିଛ ଧରା ପଡ଼ିଛି ବୋଲି ସେ କହିଛନ୍ତି।

ଏହା ସହିତ ଆପ୍ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୭୦୦ କୋଟି ଟଙ୍କା। କରୋନା ସମୟରେ ଯେତେବେଳେ ସାରା ଦେଶ, ସାରା ବିଶ୍ଵ ସଂକଟ ଦେଇ ଗତି କରୁଥିଲା, ସେତେବଳେ ଖର୍ଚ୍ଚ କରାଯାଇଥିଲା ୨୭ ଶହ କୋଟି ଟଙ୍କା। ସତ ପରଖିବା ପାଇଁ ସଂଜୟ ସିଂହ ଓ ସୌରଭ ଭରଦ୍ଵାଜ ଆପ୍ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼େ ଯିବା ବେଳେ ସମସ୍ତଙ୍କୁ ଅଟକାଇଥିଲା ପୋଲିସ । ଏହି ବିବାଦକୁ ନେଇ ଆଜି ଦିନ ସାରା ଆପ୍ – ବିଜେପି ବାକ୍ ଯୁଦ୍ଧ ଜାରି ରହିଛି।