ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଉତ୍ତେଜନା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରବଳ ଉତ୍ତେଜନା । ଏପରିକି ଦିଲ୍ଲୀ ପୋଲିସ ଓ ଆପ୍ ନେତାମାନେ ମୁହାଁମୁହିଁ ହୋଇଛନ୍ତି। ସେଠାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଛନ୍ତି ଆପ୍ ସାଂସଦ ସଂଜୟ ସିଂହ ଓ ମନ୍ତ୍ରୀ ସୌରଭ ଭରଦ୍ଵାଜ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅରବିନ୍ଦ କେଜରିୱାଲ ଏହି ଘରେ ରହୁଥିଲେ। ବିଜେପି ଅଭିଯୋଗ କରି ଆସୁଛି, ପ୍ରବଳ ସରକାରୀ ଟଙ୍କା ଖର୍ଚ୍ଚ କରି ଏହି ବାସଭବନର ମରାମତି କରିଛନ୍ତି। ତାକୁ ଆରାମଦାୟକ ଓ ଆଡ଼ମ୍ବରପୂର୍ଣ୍ଣ କରିଛନ୍ତି। ସିସ୍ ମହଲ୍ ବୋଲି ବିଜେପି କଟାକ୍ଷ  କରିଛି। ଏପରିକି ଏହା ଏକ ନିର୍ବାଚନୀ ପ୍ରସଙ୍ଗ ହେଲାଣି। କିନ୍ତୁ ଆପ୍ କହୁଛି, ବିଜେପି ଅଭିଯୋଗ ଅନୁସାରେ ଏହି ଘରେ ଏମିତି କଣ କରାଯାଇଛି, ତାହା ସମସ୍ତେ ଦେଖିବା ଉଚିତ। ଆଜି ଆପ୍ ର ନେତାମାନେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ସେଠାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହି ବାସଭବନରେ ପ୍ରବେଶ ପାଇଁ ଅନୁମତି ନାହିଁ ବୋଲି କହୁଛି ପୋଲିସ। ସୌରଭ ଭରଦ୍ଵାଜ କହିଛନ୍ତି, କରୋନା ସମୟରେ ସରକାରୀ ଅର୍ଥରେ ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ମୋଦିଙ୍କ ବାସଭବନର ମରାମତି କରାଯାଇଥିଲା। ଏହି ଦୁଇଟି ଯାକ ଘର ସାରା ଦେଶ ଦେଖିବା କଥା। କେଉଁଠି କଣ କାମ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ସୁଇମିଂ ପୁଲ୍ ଓ ବାର୍ ଅଛି ବୋଲି ବିଜେପି ଅଭିଯୋଗ କରୁଛି, ତେବେ ଚାଲନ୍ତୁ ମିଡିଆ ସାମନାରେ ସମସ୍ତେ ତାହା ଦେଖିବା, ସତରେ ବାର୍ ଓ ସୁଇମିଂ ପୁଲ୍ ଅଛି କି ନାହିଁ। ଆମେ ଆସିବାର ଦେଖି ବିଜେପି ଡରି ଯାଇଛି ଓ ପୋଲିସକୁ ଲଗାଇ ସେହି ବାସଭବନରେ ବ୍ୟାରିକେଡିଂ କରାଯାଇଛି। ସତ ଧରାପଡ଼ିଯିବା ଭୟରେ ବିଜେପି ଲୁଚୁଛି ବୋଲି କହିଛନ୍ତି ଆପ୍ ନେତା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରର ମରାମତିରେ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବେଲି ବିଜେପି ଅଭିଯୋଗ କରୁଛି। ସେପଟେ ମୋଦିଙ୍କ ସରକାରୀ ବାସଭବନ ପାଇଁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଅଭିଯୋଗ ଆସିଛି। ଦୁଇଟି ଯାକ ଘର ସାରା ଦେଶବାସୀ ଦେଖନ୍ତୁ, ସତ କଣ ଜଣାପଡିବ ବୋଲି କହିଛନ୍ତି ସୌରଭ ଭରଦ୍ଵାଜ।