ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରସିଦ୍ଧ ଶୁଲିଆଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରସିଦ୍ଧ ଶୁଲିଆଯାତ୍ରା । ଏନେଇ ଉଭୟ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିବର୍ଷ ଭଳି ବଲାଙ୍ଗୀର ଜିଲ୍ଲା ଶୁଲିଆ ପୀଠ ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠରେ ଆଦିବାସୀମାନେ ପାରମ୍ପରିକ ବଳି ଦେଇ ବିଧି ପାଳନ କରିବେ । ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଶୁଲିଆ ଯାତ୍ରା ଦିନ ସକାଳୁ ମୁଖ୍ୟ ପୂଜକ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି । ଶୁଲିଆ ଗୁଡିରୁ ପରାମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥାଏ । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟରେ ବଳି ଦିଆଯାଇଥାଏ । ଚଳିିତ ବର୍ଷ ମଧ୍ୟ ଏଭଳି ବଳି ଦିଆଯାଇ ପରମ୍ପରା ପାଳନ କରାଯିବ ବୋଲି କହିଛନ୍ତି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ସଭାପତି ମୟ ପ୍ରଧାନୀ । ସେପଟେ ଯାତ୍ରା ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇ ଜଣ ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକାଧିକ ପୋଲିସ ଫୋର୍ସ ମୁତୟନ ହେବେ ।