ଜର୍ମାନୀ ଖ୍ରୀଷ୍ଟମାସ ମାର୍କେଟରେ ଆକ୍ରମଣ ଘଟଣାରେ ଆହତଙ୍କ ମଧ୍ୟରେ ୬ ଭାରତୀୟ

ନୂଆଦିଲ୍ଲୀ: ଜର୍ମାନୀର ମାଗଡେବର୍ଗ ଖ୍ରୀଷ୍ଟମାସ ମାର୍କେଟରେ ହୋଇଥିବା ଆକ୍ରମଣ ଘଟଣାରେ ଆହତ ବ୍ଯକ୍ତିଙ୍କ ମଧ୍ଯରେ ଅଛନ୍ତି ୬ ଭାରତୀୟ । ସେମାନଙ୍କ ମଧ୍ଯରୁ ୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି । ଆହତ ଭାରତୀୟଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଛି । ଭାରତୀୟଙ୍କ ଉପରେ ଏମିତି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

ବର୍ଲିନ ସ୍ଥିତ ୟୁରୋପୀୟ ସାଉଦିଆରବ ମାନବାଧିକାର ସଂଗଠନ କହିଛି, ଜଣେ ମାନସିକ ବିକାରଗସ୍ତ ବ୍ଯକ୍ତି ଏହି କାଣ୍ଡ ଘଟାଇଛି । ସେପଟେ ଏହି ଘଟଣାକୁ ନେଇ ଏଲନ ମସ୍କ ଜର୍ମାନୀକୁ ନିନ୍ଦା କରିଛନ୍ତି । କାର ଦୁର୍ଘଟଣା ଘଟାଇଥିବା ତାଲେବକୁ କାହିଁକି ଜର୍ମାନୀ ସାଉଦିଆରବ ହାତରେ ପ୍ରତ୍ୟାର୍ପଣ କରୁ ନାହିଁ ବୋଲି ମସ୍କ ପ୍ରଶ୍ନ କରିଛନ୍ତି ।

ତେଣେ ଏହି ଘଟଣାରେ ମୃତ୍ଯୁ ସଂଖ୍ଯା ୫ ହୋଇଥିବା ବେଳେ ଆହତଙ୍କ ସଂଖ୍ଯା ୨୦୦ରୁ ଅଧିକ ହୋଇଥିବା ସୂଚନା ମିଳିଛି । ଗତକାଲି ଖ୍ରୀଷ୍ଟମାସ ଲାଗି ବଜାରରେ ଗହଳି ଲାଗି ରହିଥିବାବେଳେ ଦ୍ରୁତଗାମୀ କାର୍ ମାଡିଯିବାରୁ ଏହି ଲୋମହର୍ଷକ ଘଟଣା ଘଟିଥିଲା । ଜର୍ମାନୀ ପୋଲିସ ତାଲେବ ନାମକ ଜଣେ ସାଉଦି ଡାକ୍ତରଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଡାକ୍ତର ଜର୍ମାନୀର ଜଣେ ସ୍ଥାୟୀ ନାଗରିକ ଭାବେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ବାସ କରୁଥିଲେ ବୋଲି ସୂଚନା ମିଳିଛି । ତାଲେବ ୨୦୦୬ରୁ ଜର୍ମାନୀରେ ବାସ କରିଆସୁଛନ୍ତି ।

ସୂଚନା ମୁତାବକ ଆତଙ୍କବାଦୀ ଲିଙ୍କରେ ତାଲେବ ଥିଲା ସାଉଦି ଆରବର ୱାଣ୍ଟେଡ ଅପରାଧୀ । ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବା ସହ ମଧ୍ଯପ୍ରାଚ୍ଯରୁ ୟୁରୋପୀୟ ରାଷ୍ଟ୍ରକୁ ଯୁବତୀ ଚାଲାଣ ରାକେଟରେ ସାମିଲ ଥିଲା । ତେବେ ତାଲେବକୁ ସାଉଦି ଆରବ ହାତରେ ପ୍ରତ୍ଯର୍ପଣ କରିବା ଲାଗି ଜର୍ମାନୀ ଅଗ୍ରାହ୍ଯ କରିଥିଲା ।