ସଂସଦରେ ଠେଲାପେଲା ଘଟଣା, ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ଘଟଣାକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ ହେଲା ମାମଲା ରୁଜୁ । ବିଜେପି ସାଂସଦଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କଲା ପୋଲିସ । ବିଏନଏସର ଧାରା ୧୧୫, ୧୧୭, ୧୨୫, ୧୩୧, ୩୫୧, ୩(୫) ଅନୁସାରେ ହୋଇଛି ମାମଲା ।

ସଂସଦ ଭବନରେ ଠେଲାପେଲା ଘଟଣାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ହୋଇଥିଲେ ଆହତ । ପାର୍ଲାମେଣ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନରେ ଏନେଇ ହେମାଙ୍ଗ ଯୋଷୀ, ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବାରାଜ ଅଭିଯୋଗ କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ଦିଗବିଜୟ ସିଂ, ମୁକୁଲ ୱାସନିକ ବିଜେପି ଏମପିଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ । ଲୋକସଭା ବାଚସ୍ପତି ଓମ୍ ବିରଲାଙ୍କ ନିକଟରେ କଂଗ୍ରେସ ଲିଖିତ ଅଭିଯୋଗ କରିଥିଲା ।

ଏହି ଘଟଣାକୁ ନେଇ ସାରା ଦିନ ପୂରା ଦେଶରେ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ସରକାର ଓ ବିରୋଧୀ ସରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ବିଜେପି ବିରୋଧରେ ସାରା ଦେଶରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ସେହିପରି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ମଧ୍ୟ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

ଆଜି ସଂସଦରେ ଯାହା ଘଟିଲା ତାହା ଲୋକଲୋଚନକୁ ଆସିବା ଦରକାର ବୋଲି ବିଜେଡି କହିଛି । ଦଳ ପକ୍ଷରୁ କୁହାଯାଇଛଇ, ଆଜି ସଂସଦରେ ଘଟିଥିବା ଘଟଣା ସଂସଦର ଗାରିମାକୁ କ୍ଷୁର୍ଣ୍ଣ କରିଛି । ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ । ଗଣତନ୍ତ୍ରର ମନ୍ଦିର ସ୍ବରୂପ ସଂସଦର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ କର୍ତ୍ତବ୍ୟ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଅହିଂସାର ଗୁରୁତ୍ବ ଉପଲବ୍ଧି କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଅତ୍ୟନ୍ତ ଜରୁରୀ । ଯେଉଁ ବ୍ୟକ୍ତି ଆଇନକୁ ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏହାକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ । ସାଂସଦ ହୁଅନ୍ତୁ କି ବିଧାୟକ ବା ରାଜ୍ୟପାଳଙ୍କ ପୁଅ, କେହି ବି ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ବିଜେଡି କହିଛି ।