କଟକ SCBକୁ ପିଛା ଛାଡୁନି ନିଯୁକ୍ତି ଠକେଇ କଳଙ୍କ

କଟକ : ବଦନାମ ହେଉଛି କଟକ ବଡ଼ ମେଡିକାଲ । ପିଛା ଛାଡ଼ୁନି ନିଯୁକ୍ତି ଠକେଇ କଳଙ୍କ । ମାମଲାରେ ବଢୁଛି ଅଭିଯୋଗ ତାଲିକା । ପୁଣିଥରେ ଥାନାରେ ପହଞ୍ଚିଲେ ଠକେଇ ଶିକାର ଯୁବକ ଯୁବତୀ । ମାମଲାରେ ପୂର୍ବରୁ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ହେଲେ ଏଥିରେ ଅନ୍ଯମାନଙ୍କର ବି ରହିଛି ସଂପୃକ୍ତି । ସେଥିପାଇଁ ପୁଣି  ମଙ୍ଗଳାବାଗ ଥାନାରେ ୮ ଜଣ ଯୁବକ ଯୁବତୀ ଦେଇଛନ୍ତି ଏତଲା । ଘଟଣାରେ ଅନ୍ଯମାନଙ୍କର ବି ସଂପୃକ୍ତି ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ମୁଖ୍ୟ କାର୍ପଟଦାର ଦଲାଲ ଭ୍ରାତା ଅର୍ଜିତ ମହାନ୍ତି, ଅର୍ପିତ୍ ମହାନ୍ତି, ଏଜେଣ୍ଟ ଅକ୍ଷୟ ପ୍ରଧାନ, ଦେବାଶିଷ ଦାସଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ ନିଜ ପୁତୁରା ପାଇଁ ଟଙ୍କା ଦେଇ ଏଥିରେ ଫସିଛନ୍ତି ଦେବାଶିଷ ଦାସ । ନିଜ ପୁତୁରା ସହ ଅନ୍ଯମାନଙ୍କ ଚାକିରି ପାଇଁ ସେ ୧୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିବା କହିଛନ୍ତି ।

ଏସସିବି ମେଡିକାଲରେ  ଆଟେଣ୍ଡାଣ୍ଟ୍, ସୁରକ୍ଷାକର୍ମୀ, ସଫେଇ କର୍ମୀ, ଲିଫ୍ଟ ଅପରେଟର, ଡାଟା ଏଣ୍ଟ୍ରି ଅପରେଟର, ଟେକ୍ନିସିଆନ୍ ଆଦି ପଦବୀ ପାଇଁ ୨୨ ଶହ  କର୍ମଚାରୀଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ମିଳିଥାଏ । ଯେଉଁଥିରେ ଏସସିବି ର କୌଣସି ଭୂମିକା ନଥାଏ । କେବଳ କିଛି ପଦବୀ ପାଇଁ ମେଡିକାଲ ପକ୍ଷରୁ ଏକ ଟିମ ଗଠନ ହୋଇ ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଦୃଷ୍ଟି ଦିଆଯାଏ । କିନ୍ତୁ ବର୍ତ୍ତମାନ ଯେଉଁ ଦୁଇଟି ଆଉଟସୋର୍ସିଙ୍ଗ ସଂସ୍ଥାର କର୍ମଚାରୀ ନିଯୁକ୍ତି ଠକେଇ ଘଟଣାରେ ସାମିଲ ଅଛନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟସ ଜାରି କରାଯାଇଛି । ଏହାସହ ଆଗାମୀ ଦିନରେ ଏଭଳି ଘଟଣା ଯେପରି ନଘଟେ ସେ ଦିଗରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ । ମାମଲାରେ ଅଭିଯୋଗ ବଢୁଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ।