ପ୍ରତିଷ୍ଠା ଦିବସ ପାଳନ ନେଇ ବିଜେଡି କର୍ମକର୍ତ୍ତାଙ୍କୁ ଚିଠି ଲେଖିଲେ ନବୀନ

1 min read

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡିର ୨୭ତମ ପୂର୍ତ୍ତି ସହ ୨୮ତମ ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ । ଏହି ଦିବସରେ ବିଜେଡିର ଛାମୁଆ ନେତା ତଥା ଶୁଭେଚ୍ଛୁ ମାନଙ୍କୁ ନେଇ ସଭା କରାଯିବ । ଏଥିରେ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ । ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରତି ପ୍ରତିଶୃତିର ଖିଲାପ ସମ୍ପର୍କରେ ଆଲୋଚନା କରାଯିବ । ଏହାସହ ଆଗକୁ ନୂଆ ପ୍ରତ୍ୟୟର ସହିତ ଲୋକଙ୍କ ସେବା କରିଚାଲିବାକୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ନବୀନ । କିପରି ପ୍ରତିଷ୍ଠା ଦିବସ ପାଳନ ହେବ ସେ ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଆଜି ଚିଠି ଲେଖି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆହ୍ବାନ ଦେଇଛନ୍ତି । ରାଜ୍ୟ କର୍ମକର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ଯ/ସଭ୍ୟା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ/ସାଂସଦ ପ୍ରାର୍ଥୀ, ବିଧାୟକ/ବିଧାୟିକା, ବିଧାୟକ/ବିଧାୟିକା ପ୍ରାର୍ଥୀ, ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ, ଜିଲ୍ଲା ସଭାପତି, ସାମୁଖ୍ୟ ସଂଗଠନ ମାନଙ୍କର ରାଜ୍ୟ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଭାପତି,ଉପ-ସଭାପତି, ପୌରାଞ୍ଚଳର ମେୟର, ଡେପୁଟି ମେୟର, ଅଧ୍ଯକ୍ଷ, ଉପାଧ୍ଯକ୍ଷ, ବ୍ଲକ ଓ ନଗର ସଭାପତି ପ୍ରମୁଖଙ୍କୁ ନବୀନ ବିଜେଡି ପ୍ରତିଷ୍ଠା ଦିବସ ପାଳନ ନେଇ ଚିଠି ଲେଖିଛନ୍ତି । ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଦଳ ଜନତାଙ୍କ ସେବା କରିଆସିଛି । ଏଥିପାଇଁ ବିଜେଡି ଆଞ୍ଚଳିକ ଦଳ ଭାବେ ସାରା ଦେଶରେ ଏକ ପ୍ରଶଂସନୀୟ ପରିଚିତି ଆଣିପାରିଛି । ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ଯର ସବୁ କ୍ଷେତ୍ରରେ ଏବଂ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବିଜେଡିର ଆଭିମୁଖ୍ୟକୁ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ, ଶୁଭେଚ୍ଛା ମିଳିଛି । ଆଗକୁ ମଧ୍ଯ ଲୋକଙ୍କ ପାଇଁ କାମ କରିଚାଲିବ ବିଜେଡି ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।