ଇରାନରେ କଠୋର ହେଲା ହିଜାବ ନୀତି; ନିୟମକୁ ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ଯାଏ ଜେଲଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଉପସାଗରୀୟ ଉତ୍ତେଜନା ମଧ୍ୟରେ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଖୋମେନୀଙ୍କ କଠୋର ହିଜାବ ନୀତି । ହିଜାବ ନିୟମକୁ ଅଧିକ କଡା କରିଛନ୍ତି ସୁପ୍ରିମ ଲିଡର। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା କରାଯାଇଛି । ପବିତ୍ରତା ଓ ହିଜାବ ସଂସ୍କୃତିକୁ ଏଣିକି କଡା ଭାବେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ନଗ୍ନତା ବା ଶାଳୀନତାବିହୀନ ପୋଷାକ ପିନ୍ଧିଲେ ଏହି ଦଣ୍ଡର ସାମ୍ନା କରିବାକୁ ପଡିବ ।

ଇରାନ ପ୍ରସ୍ତୁତ କରିଥିବା ନୂଆ ଆଇନର ଧାରା ୬୦ ଅନୁସାରେ, ଯେଉଁମାନେ ଆଇନର ଉଲ୍ଲଂଘନ କରିବେ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିବେ ସେମାନଙ୍କୁ ଅର୍ଥଦଣ୍ଡ, ମାଡ଼, ପ୍ରାୟ ୧୫ବର୍ଷର ଜେଲଦଣ୍ଡ ଓ ମୃତ୍ୟୁଦଣ୍ଡ ଆଦି ଭୋଗିବାକୁ ପଡିବ। ଅର୍ଥଦଣ୍ଡର ପରିମାଣ ସର୍ବାଧିକ ୧୨,୫୦୦ ପାଉଣ୍ଡ ରହିଛି । ୧୯୭୯ରେ ଇସଲାମିକ ବିପ୍ଲବ ପରଠାରୁ ପ୍ରଚଳିତ ନିୟମ ଅନୁସାରେ ସର୍ବସାଧାରଣ ସ୍ଥାନରେ ମହିଳାମାନେ ନିଜ କେଶକୁ ଆବରଣ କରିବାର ଆବଶ୍ୟକତା ରହିଛି । ୨୦୨୨ ସେପ୍ଟେମ୍ବର ୧୬ରେ ପୋଲିସ ହେପାଜତରେ କୁର୍ଦ୍ଦ ମହିଳା ମାସା ଆମିନଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବ୍ୟାପକ ଆନ୍ଦୋଳନ ହୋଇଥିଲା। ଏହି ବିଶ୍ବଚର୍ଚ୍ଚିତ ଘଟଣାର ଦୁଇ ବର୍ଷ ପରେ ଇରାନ ସରକାର ହିଜାବ ନିୟମକୁ ଅଧିକ କଡା କରିଛନ୍ତି । ଡ୍ରେସ କୋଡକୁ ଅବମାନନା କରିବା ଅଭିଯୋଗରେ ମୋରାଲିଟି ପୋଲିସ ପକ୍ଷରୁ ତାଙ୍କୁ ତେହରାନରେ ଗିରଫ କରାଯାଇଥିଲା। ଆନ୍ଦୋଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା ।

ଅନ୍ୟପଟେ ଇରାନର ନୂଆ ଆଇନକୁ କଡା ସମାଲୋଚନା କରିଛି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ । ଡ୍ରେସ କୋଡକୁ ଉଲ୍ଲଂଘନ କରୁଥିବା ମହିଳାଙ୍କୁ ଶାସ୍ତି ଦେବା ଲାଗି ବିଭିନ୍ନ ସ୍ଥାନରେ ହିଜାବ କ୍ଲିନିକ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି ।