ଆଜି ସକାଳୁ ଟ୍ବିନସିଟିରେ ମଧ୍ୟମ ଧରଣର ବର୍ଷା, ଶୁକ୍ରବାରରୁ ଶୀତ
ଭୁବନେଶ୍ବର: ଆଜି ସକାଳୁ ଟ୍ବିନସିଟିରେ ମଧ୍ୟମ ଧରଣର ବର୍ଷା । ଶୀତୁଆ ସକାଳରେ କୋହଲା ପାଗ ସହ ବର୍ଷାରେ ହନ୍ତସନ୍ତ ଟୁଇନସିଟିବାସୀ । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ । ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବି ନାହିଁ ଶୀତର ପ୍ରକୋପ । ଆଉ ଦୁଇ ଦିନ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ କରାୟାଇଛି ।
କିଛି ଦିନ ହେଲେ ଶୀତରେ ବ୍ରେକ ଲଗାଇଛି ପଶ୍ଚିମାଝଡ । ଡିସେମ୍ବର ମାସ ଅଧା ହେବାକୁ ବସିଲାଣି ହାଡଭଙ୍ଗା ଶୀତ ଛାଡନ୍ତୁ ରାଜ୍ୟରେ ସାମାନ୍ୟ ଶୀତ ଅନୁଭୂତ ହେଉନି । ବଙ୍ଗୋପସାଗରରୁ ରାଜ୍ୟକୁ ବହୁଛି ଜଳୀୟବାସ୍ପ ପୂର୍ଣ୍ଣ ବାୟୁ । ଯାହାର ପ୍ରଭାବରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହୁଛି । କିନ୍ତୁ ଆସନ୍ତା ଶୁକ୍ରବାର ଠାରୁ ରାଜ୍ୟରେ କମିବ ତାପମାତ୍ରା ।
ଫଳରେ ରାତିରେ ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆକଳନ କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ବରଗଡ, ସମ୍ବଲପୁର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ହେବାର ସମ୍ଭାବନା ରହିଛି । ନଭେମ୍ବର ମାସରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇ ତାପମାତ୍ରା ବୃଦ୍ଧି ପାଇବା ସହ ବାୟୁମଣ୍ଡଳରେ ୮୦ ରୁ ୯୦ ପ୍ରତିଶତ ଆର୍ଦ୍ରତା ରହିଥିଲା । ଫଳରେ ମାର୍ଗଶିର ମାସରେ ବି ସାମାନ୍ୟ ଶୀତ ଅନୁଭବ ହୋଇନାହିଁ । ଗତ ସପ୍ତାହେ ହେବ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ କୋହଲା ପାଗ ସହ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ପ୍ରଭାବ ପଡିଛି ।