ବିଧାନସଭାରେ ଉଠିଲା ଅଲ ଓଡ଼ିଶା ଜିପିଏଲଏଫ କର୍ମଚାରୀଙ୍କୁ ଦରମା ନମିଳିବ ପ୍ରସଙ୍ଗ, ସରକାରଙ୍କୁ ଘେରିଲା ବିଜେଡି
1 min readଭୁବନେଶ୍ବର: ଅଲ୍ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀଙ୍କୁ ଦରମା ନ ମିଳିବା ପ୍ରସଙ୍ଗ ଉଠିଲା ବିଧାନସଭାରେ । ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଲେ, ମିଶନଶକ୍ତି ବିଭାଗ କାର୍ଯ୍ୟକାରୀ ହୋଇଥିଲେ ସୁଧା ସରକାର ଦାୟିତ୍ଵରେ ଥିବା MBK, CRP ଭଳି ଅନୁଷ୍ଠାନକୁ କାର୍ଯ୍ୟ ଦେଉନାହାନ୍ତି କି ଦରମା ଦେଉନାହାନ୍ତି । ତାଙ୍କ କାର୍ଯ୍ୟାଳୟ ମଧ୍ୟ ଚାଲୁନି । ପୂର୍ବ ସରକାର ମିଶନଶକ୍ତି କରି ମହିଳାମାନଙ୍କୁ ସଶକ୍ତ କରୁଥିଲେ । କିନ୍ତୁ ବର୍ତ୍ତମାନ ସରକାର କାହିଁକି ତାଙ୍କ ଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ଏହାସହ ସେ କହିଛନ୍ତି, ବେଳେ ବେଳେ ଶୁଣିବାକୁ ମିଳିଲାଣି ମିଶନଶକ୍ତି ଭାଙ୍ଗି ଦେବେ ବୋଧେ ନୂଆ ସରକାର । ଯାହା କି ବଜେଟ ଦେଖିଲେ ଲାଗୁଛି, ୬୦ ହଜାରରୁ ଊର୍ଦ୍ଧ୍ବ ମହିଳା ଏବେ ଦ୍ବନ୍ଦରେ ଅଛନ୍ତି ଓ ନିଜ ହକ ପାଇଁ ରାଜରାସ୍ତାରେ ବସିଛନ୍ତି । ସରକାର ତାଙ୍କ କଥା ଚିନ୍ତା କରନ୍ତୁ ।
ଏ ନେଇ ବାଚସ୍ପତିଙ୍କ ରୁଲିଙ୍ଗ ଦାବି କରିଥିଲେ ପ୍ରମିଳା ମଲ୍ଲିକ । ବ୍ୟାୋମକେଶ ରାୟ ବି ଏହି ପ୍ରସଙ୍ଗ ଉଠାଇଥିଲେ । ପରେ ବିଜେଡିର ଅନ୍ଯ ବିଧାୟକଙ୍କ ସହିତ ମିଶି ସେମାନେ ଧାରଣା ସ୍ଥଳକୁ ଯାଇଥିଲେ । ଦରମା ଦିଆଯାଇ ନଥିବାରୁ ୬ କମ୍ୟୁନିଟି ସପୋର୍ଟ ଷ୍ଟାଫ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ।
ହଜାର ହଜାର MBK, ବ୍ୟାଙ୍କ୍ ମିତ୍ର, LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନୂଆ ସରକାର ଆସିବା ପରେ ଦରମା ଦିଆଯାଇ ନଥିବା ସେମାନେ ଅଭିଯୋଗ କରି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ।