ଭୁବନେଶ୍ବରରେ ମାତିଛନ୍ତି ଫ୍ଲାଟ୍ ଲୁଟେରା, ୩ ଦିନ ଧରି ୩ ଟି ଫ୍ଲାଟରୁ ଲୁଟ୍ ଉଦ୍ୟମ
1 min readଭୁବନେଶ୍ବର : ଆମେ ଆଉ ପାରୁନୁ, ଏଥର ନିଜ ସୁରକ୍ଷା କଥା ନିଜେ ବୁଝ । ସାମ୍ନାକୁ ଆସିଲା ପାହାଳ ପୋଲିସର ପାରିବାପଣିଆ । ଲୁଟେରାର ଖଣ୍ଡାକୁ ସାମ୍ନା କରିପାରୁନି ସିକ୍ୟୁରିଟିର ଲାଠି । ରାତି ହେଲେ ଛାତି ଥରୁଛି । ଲୁଟେରାଙ୍କୁ ଦେଖି ଭୟ ଲାଗୁଛି । ଖଣ୍ଡା ଧରି ଆପାର୍ଟମେଣ୍ଟ ତଳେ ହଲ୍ଲାବୋଲ ଡାକରା ଦେଉଛନ୍ତି ଲୁଟେରା । ପାହାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯାହାକୁ ନେଇ ଏବେ ଆପାର୍ଟମେଣ୍ଟରେ ଦେଖାଯାଇଛି କୋକୁଆ ଭୟ । ବିଗତ ୩ ଦିନ ଧରି ୩ ଟି ଫ୍ଲାଟରୁ ଲୁଟ୍ ଉଦ୍ୟମ ହୋଇଛି । ତାଲା କାଟି ଟଙ୍କା, ସୁନା ଲୁଟି ନେଇଯାଉଛନ୍ତି ଲୁଟେରା । କିନ୍ତୁ ବଡ଼ କଥା ହେଉଛି ପାଟ୍ରୋଲିଂ କରି ଚୋର ଧରିବା ବଦଳରେ ପୋଲିସ ହ୍ବାଟ୍ସଆପରେ ଜାରି କରୁଛି ସୁରକ୍ଷା ଵାର୍ତ୍ତା । ଦେଖନ୍ତୁ ପୋଲିସ ପଠାଇଥିବା ହ୍ବାଟ୍ସଆପ ଚାର୍ଟ । ଆପାର୍ଟମେଣ୍ଟରେ ସିସିଟିଭି ଲଗାଇବା ସହ ରାତି ପ୍ରାୟ ୧ ରୁ ୩ ଟା ପର୍ଯ୍ୟନ୍ତ ଆଲର୍ଟ ରହିବାକୁ କହିଛି ପୋଲିସ । ଯାହାକୁ ନେଇ ଥରହର ରାଜଧାନୀବାସୀଙ୍କ ଛାତି ।
କିଛିଦିନ ତଳେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଆପାର୍ଟମେଣ୍ଟ ମାନଙ୍କରେ IP କ୍ୟାମେରା ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାର ତଥ୍ୟ କମିଶନରେଟ ପୋଲିସ ନିକଟରେ ରଖିବା ସହ ସୁପରଭିଜନ ପାଇଁ ଜଣେ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପୂର୍ବରୁ ଛକ, ବଜାର, ହସ୍ପିଟାଲ, ଷ୍ଟେସନ, ବସ ଷ୍ଟାଣ୍ଡରେ ଲାଗିଥିଲା ପୋଷ୍ଟର । ଲୁଟେରା ବା ମୋଷ୍ଟ ୱାଣ୍ଟଡଙ୍କୁ ଚିହ୍ନଟ କଲେ ୧୦ ହଜାର ପୁରସ୍କାର ମିଳିବ ବୋଲି କୁହାଯାଇଥିଲା । ନୀୟମିତ ବ୍ୟବଧାନରେ ଥାନାରେ ହାଜିରା ପକାଉନଥିବା ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଲୁଟେରା ଖୁଲମଖୁଲ୍ଲା ଲୁଟିବା ଘଟଣା ପୋଲିସର ପାରିବା ପଣିଆ ପ୍ରତି ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସବୁ ପରେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ହ୍ବାଟ୍ସଆପରେ ମେସେଜ ଟିଏ ଦେଇ ମୁଣ୍ଡରୁ ଦୋଷ ଖସାଇଦେଇଛି ପାହାଳ ଥାନା ପୋଲିସ ।