ଫୁଟବଲ ମ୍ୟାଚ ବେଳେ ରକ୍ତ ସଂଘର୍ଷ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଖେଳ ପଡ଼ିଆ ପାଲଟିଲା ଯୁଦ୍ଧ ମଇଦାନ । ଫୁଟବଲ ମ୍ୟାଚ ବେଳେ ରକ୍ତ ସଂଘର୍ଷ । ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଫୁଟବଲ ମ୍ୟାଚ ସମୟରେ ହୋଇଥିବା ହିଂସାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଘଟଣା ଘଟିଛି ଆଫ୍ରିକୀୟ ଦେଶ ଗିନିରେ ।

ରବିବାର ଜେରିକୋରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ଦେଖିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ଏହି ସମୟରେ ମ୍ୟାଚରେ ରେଫରି ଏକ ଭୁଲ ନିଷ୍ପତ୍ତି ଦେଇଥିଲେ । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ରେଫରିଙ୍କ ଭୁଲ ନିଷ୍ପତ୍ତି ପରେ ଦର୍ଶକମାନେ ଗ୍ୟାଲେରୀରୁ ସିଧା ସଳଖ କିଛି ଦର୍ଶକ ପଡ଼ିଆ ମଝିରେ ପ୍ରବେଶ କରିଥିଲେ । ଚାହୁଁ ଉଭୟ ଗୋଷ୍ଠିର ସମର୍ଥକଙ୍କ ମଧ୍ୟରେ ହୋଇଥିଲା ରକ୍ତ ସଂଘର୍ଷ । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଶବର ଳମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଆଇନ ପରିସ୍ଥିତି ପାଇଁ ଉତ୍ୟକ୍ତ ଲୋକେ ଥାନାରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଗିନିର ଜୁଣ୍ଟା ନେତା ମାମାଦି ଡୋମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା। ଯିଏ ୨୦୨୧ରେ ଆକ୍ରମଣ ପୂର୍ବକ କ୍ଷମତା ଦଖଲ କରି ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ।