୧୧ ମାସ ହେଲା ପୋଲିସ ଅଧିକାରୀଙ୍କ ପରିବାର ଗାଁରୁ ବାସନ୍ଦ
1 min readଢେଙ୍କାନାଳ: ଜମି ବିବାଦକୁ କେନ୍ଦ୍ର କରି ଆଲେଶ୍ବର ଅତିରିକ୍ତ ନିରଞ୍ଜନ ବେହେରାଙ୍କ ପରିବାର ୧୧ ମାସ ହେଲା ଗାଁରୁ ବାସନ୍ଦ ହୋଇଛନ୍ତି । ଗାଁ କମିଟି ନିଷ୍ପତ୍ତି ଅନୁସାରେ ୧୭୦ ପରିବାର ତାଙ୍କ ସହ ନକୌଣସି ସମ୍ପର୍କ ରଖିଛନ୍ତି, ନା ଗାଁର କୌଣସି କାର୍ଯ୍ୟରେ ସାମିଲ ହେବାକୁ ଦେଉଛନ୍ତି । ଏମିତି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଅଉଖମା ଗାଁରୁ । କଙ୍ଗାରୁ କୋର୍ଟରେ ପୋଲିସ ଅଧିକାରୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗାଁ ରାସ୍ତା ଜବରଦଖଲ ଅଭିଯୋଗକୁ ନେଇ ଏକ ପରିବାରକୁ ସାମାଜିକ ବାସନ୍ତ କରାଯାଇଛି ।
୧୧ ମାସ ଧରି ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି ପରିବାର ଲୋକେ । ଗାଁ ମନ୍ଦିରକୁ ଯିବାକୁ ମନା ହୋଇଛି । ସାହି ପଡ଼ୋଶୀଙ୍କୁ ମିଶିବାକୁ ବାରଣ କରାଯାଇଛି । ଜିନିଷ କିଣିବାକୁ ଗଲେ ଗାଁ ଦୋକନୀ ମନା କରିଦେଉଛି । କୂଅରୁ ପାଣି କାଢ଼ିବାକୁ ମଧ୍ୟ ବାରଣ କରାଯାଇଛି । ପୋଲିସ ଅଧିକାରୀଙ୍କ ପରିବାର ଲୋକଙ୍କ ଖୀର ବ୍ୟବସାୟ ରହିଥିବା ବେଳେ କେହି କିଣୁ ନାହାନ୍ତି । ଘରର ପିଲାଙ୍କ ସହିତ ଗାଁର ଅନ୍ୟ ପିଲାମାନେ ସାଙ୍ଗ ହେଉନାହାନ୍ତି ।
ଗାଁ କୋଠ ରାସ୍ତାକୁ ଦଖଲ କରିଥିବା ଅଭିଯୋଗ ଭିତ୍ତିରେ ଏହି କଟକଣା ଲାଗୁ କରାଯାଇଛି l ଯଦି ଏହି ପରିବାର ଲୋକଙ୍କ ସହିତ କେହି କଥା ହେବେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ବେହେରା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ କିଛି ଭିନ୍ନ କଥା କହିଛନ୍ତି ଅଉଖମା ଗ୍ରାମବାସୀ । ବେହେରା ପରିବାରର ପୋଲିସ ଅଧିକାରୀ ସେମାନଙ୍କୁ ନାଲି ଆଖି ଦେଖାଇ ଡରାଉଛନ୍ତି । ଏପରିକି ଅତିରିକ୍ତ ଏସପି ନିରଞ୍ଜନ ବେହେରାଙ୍କ ଭାଇମାନେ ଧମକ ଚମକ ଦେଉଛନ୍ତି ବୋଲି ଗାଁ ସଭାପତି ଓ ସମ୍ପାଦକ କହିଛନ୍ତି । ପ୍ରତିବାଦ ସ୍ଵରୂପ ଗତ ସେପ୍ଟେମ୍ବର ମାସରେ ଗାଁ ସଭାରେ ସାମୂହିକ ନିଷ୍ପତ୍ତିରେ ବେହେରା ପରିବାରକୁ ବାସନ୍ଦ କରିଛନ୍ତି ଗାଁର ୧୭୦ ପରିବାର l ତେବେ ଉଭୟଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।