ଆଳୁ ସଙ୍କଟ: ରାଜ୍ୟ ସରକାରଙ୍କ ଦ୍ବାରସ୍ଥ ହେଲା ଓଡ଼ିଶା ସିଟିଜେନ୍ସ ଫୋରମ୍

ଭୁବନେଶ୍ବର: ରାଜଭବନରେ ପହଞ୍ଚିଲା ଆଳୁ ସଙ୍କଟ । ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନନେବାରୁ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲା ଓଡିଶା ସିଟିଜେନ୍ସ ଫୋରମ । ସଭାପତି ଚିନ୍ମୟ ଦାସଙ୍କ ନେତୃତ୍ୱରେ ଚାରି ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର ।

ରାଜ୍ୟରେ ଲଗାତର ଆଳୁ ସଙ୍କଟ ଲାଗି ରହିଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ଗରିବ, ଖଟିଖିଆ ସମସ୍ୟାରେ ପଡିଛନ୍ତି । ତେଣୁ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବାକୁ ଫୋରମ୍ ପକ୍ଷରୁ ଦାବି କରାଯାଇଛି । ଏହାସହ ତୁରନ୍ତ ଆଳୁ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଓ ଅନଶନ କରିବାକୁ ଚେତାବନୀ ଦେଇଛି ଫୋରମ ।

ସେପଟେ ରାଜ୍ୟରେ ବଢି ଚାଲିଥିବା ଆଳୁ ସଙ୍କଟକୁ ନେଇ ବ୍ୟାପିଲା ଅସନ୍ତୋଷ । ରାଜ୍ୟ ସରକାର ଆଳୁ ଯୋଗାଣ ସ୍ୱାଭାବିକ କରାଇବା ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ଆଣିଲା ରାଜ୍ୟ ବ୍ୟବସାୟୀ ସଙ୍ଘ । ସରକାରଙ୍କ ଉଦାସୀନତାକୁ ଆଖି ଆଗରେ ରଖି ଖାଉଟିଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ବ୍ୟବସାୟୀ ସଂଘ ଉଦ୍ୟମ ଆରମ୍ଭ କରିଛି । ୟୁପିରୁ କିଛି ଆଳୁ ଟ୍ରକ ମଗାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟକୁ ରେଗୁଲାର ଆଳୁ ଫ୍ଲୋ ପାଇଁ ଉଦ୍ୟମ କରାଯାଇଛି । ଦୈନିକ ରାଜ୍ୟରେ ୪ ହଜାରରୁ ସାଢ଼େ ଚାରି ହଜାର ଟନ ଆଳୁ ଆବଶ୍ୟକ ହେଉଥିବାରୁ ଏହାକୁ ଆଖି ଆଗରେ ରଖି ବ୍ୟବସାୟୀ ସଂଘ ଆଳୁ ମଗାଇଛି । ଏହି ଆଳୁ ଆସିବା ପରେ ଦର ସ୍ୱାଭାବିକ ହୋଇପାରେ ।

ପଶ୍ଚିମବଙ୍ଗ ବ୍ୟବସାୟୀମାନଙ୍କ ସହ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । କାଲିଠୁ ରାଜ୍ୟରେ ୟୁପି ଆଳୁ ପହଞ୍ଚିବ । ସରକାର ସରକାରଙ୍କ ବାଟରେ ଚାଲନ୍ତୁ । ବ୍ୟବସାୟୀମାନେ ଗ୍ରାହକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅସମ୍ମାନକୁ ଭୁଲି ଆଳୁ ମଗାଇବାକୁ ଉଦ୍ୟମ କରିଛନ୍ତି । କେଉଁଠି ଆଳୁ ୩୦ ଟଙ୍କାରେ ମିଳୁଛି ମନ୍ତ୍ରୀ ହିଁ କହିପାରିବେ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା ।

ସଂଘୀୟ ବ୍ୟବସ୍ଥାରେ ପଶ୍ଚିମବଙ୍ଗ ଆଳୁ ବନ୍ଦ ସମ୍ପର୍କରେ ରାଜ୍ୟର ବିଜେପି ସରକାର କାହିଁକି ଚୁପ, ତାହା ବୁଝା ପଡୁନାହିଁ ବୋଲି କହି ସରକାରଙ୍କୁ କଟାକ୍ଷ କରିଛି ବ୍ୟବସାୟୀ ସଙ୍ଘ ।

ସେପଟେ ବ୍ୟବସାୟୀ ସଂଘ ଆଳୁ ମଗାଇବାର ସୂଚନା ପାଇବା ପରେ ଯୋଗାଣ ମନ୍ତ୍ରୀ ୟୁପିରୁ ୩୦୦ ଟ୍ରକ ଆଳୁ ଆସୁଥିବା କହିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଟ୍ରେନ ରାକରେ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କହିଥିବା ବେଳେ ଏହା ଏପର୍ଯ୍ୟନ୍ତ ପହଞ୍ଚିନାହିଁ । ଏବେ ପୁଣି ହଠାତ ଯୋଗାଣ ମନ୍ତ୍ରୀ ୟୁପିରୁ ୩୦୦ ଟ୍ରକ ଆଳୁ ପହଞ୍ଚିବ ବୋଲି କହିବା କେତେ ଦୂର ସତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।