ବିଜେପି ସରକାର ରଙ୍ଗ ବଦଳାଇବା ଭଳି ମତ ବଦଳାଉଛନ୍ତି ପ୍ରଧାନମନ୍ତ୍ରୀ: ବିଜେଡି
ଭୁବନେଶ୍ବର: ରାଜ୍ୟ ବିଜେପି ସରକାର ଯେମିତି ରଙ୍ଗ ବଦଳା ରାଜନୀତି କରୁଛି, ପ୍ରଧାନମନ୍ତ୍ରୀ ସେମିତି ମତ ପରିବର୍ତ୍ତନ କରୁଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ସଂସଦରେ ବିଜେଡିକୁ ପ୍ରଶଂସା କରିଥିଲେ । କହିଥିଲେ, ଯଦି ସଂଘୀୟ ବ୍ୟବସ୍ଥାକୁ କିଏ ସବୁଠୁ ଅଧିକ ଅନୁପାଳନ କରୁଥାଏ ସେ ହେଉଛି ବିଜେଡି ସରକାର । ଆଉ ଏବେ ଓଡ଼ିଶାର ବିଜେପି ସରକାରଙ୍କ ରଙ୍ଗ ବଦଳା ଭଳି ପ୍ରଧାନମନ୍ତ୍ରୀ ବି ବର୍ତ୍ତମାନ ମତ ବଦଳାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ଏପରି କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ସେ କହିଛନ୍ତି, ୫ ମାସ ହେଲା ବିଜେପି ସରକାର ରାଜ୍ଯରେ କିଛି କରିନାହାଁନ୍ତି । ଖାଲି ରଙ୍ଗ ବଦଳାଇଛନ୍ତି । ୨୨ଟି ଯୋଜନାର ନାମ ବଦଳାଇଛନ୍ତି । ଓଡିଶାକୁ ଯେଉଁ ପ୍ରାଧାନ୍ୟ ଦେଇଛନ୍ତି ବୋଲି କହୁଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ଚିରାଚରିତ କଥା । ଯେଉଁ ରାଜ୍ୟକୁ ଯାଆନ୍ତି ସେ ଏହି କଥା କୁହନ୍ତି । ତେଲଙ୍ଗନା ଓ ମହାରାଷ୍ଟ୍ର ଯାଇଥିଲେ ସେଠି ମଧ୍ଯ ଏହି କଥା କହିଥିଲେ । ଯଦି ଓଡିଶାକୁ ପ୍ରାଧାନ୍ୟ ଦେଇଥାନ୍ତେ ତା’ହେଲେ କୋଇଲା ରୟାଲଟି କାହିଁକି ସଂଶୋଧନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଓଡିଶାକୁ ଯେଉଁ ଅର୍ଥ ଦେଉଛନ୍ତି ତାହା ଦେଶର ପଇସା । ପ୍ରଧାନମନ୍ତ୍ରୀଙ୍କ ନିଜ ପଇସା ନୁହେଁ । ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଦେଉଛନ୍ତି । କିଛି ଶିଖିବାର ଅଛି ଯଦି ନବୀନଙ୍କଠାରୁ ଶିଖନ୍ତୁ ବୋଲି ପ୍ରସନ୍ନ କହିଛନ୍ତି ।
ସେହିଭଳି ନବୀନ ନିବାସ ଆଗରେ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଆୟୋଜନ ନେଇ ପ୍ରସନ୍ନ କହିଛନ୍ତି, ନବୀନ ନିବାସ ଆଗରେ ସଭା ପାଇଁ ସେମାନେ ଅନୁମତି ଆଣିଥିବେ । ମୁଁ ଭାବୁଛି ସେଭଳି କିଛି ମନୋଭାବ ରଖି ନଥିବେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ୬ ମାସ ସରକାରକୁ ନେଇ ଲୋକେ କେତେ ଖୁସି ସମସ୍ତେ ଜାଣିଛନ୍ତି । ବିଜେଡି ପୁଣି କ୍ଷମତାକୁ ଫେରିବ ପ୍ରଶ୍ନରେ ପ୍ରସନ୍ନ କହିଛନ୍ତି, ଏହା ନିଧାର୍ଯ୍ୟ ।