ଉତ୍ତର ଓଡ଼ିଶାରେ ସୁନ୍ଦରଗଡ଼ ସାମିଲ ହେବା ପ୍ରସଙ୍ଗ: ବଢୁଛି ପ୍ରତିବାଦ, ତୀବ୍ର ହେଉଛି ଅସନ୍ତୋଷ
ସୁନ୍ଦରଗଡ଼: ଉତ୍ତର ଓଡ଼ିଶାରେ ସୁନ୍ଦରଗଡ଼ ସାମିଲ ହେବା ପ୍ରସଙ୍ଗରେ ବଢ଼ିବାରେ ଲାଗିଛି ବିରୋଧ ପ୍ରତିବାଦ। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଓଡ଼ିଶାରେ ସୁନ୍ଦରଗଡ଼ ସାମିଲ ହେବା ବିବୃତିକୁ ସବୁ ମହଲରେ ନିନ୍ଦା କରାଯାଉଛି । ଆଜି ସୁନ୍ଦରଗଡ଼ ସହରର ଜନସାଧାରଣ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଖଣି ଖଦାନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପାଣ୍ଠି ହରିଲୁଟ ପାଇଁ ଚକ୍ରାନ୍ତ ବୋଲି ସୁନ୍ଦରଗଡ଼ବାସୀ ଅଭିଯୋଗ ଆଣିଛନ୍ତି। ସୁନ୍ଦରଗଡ଼ ହେଉଛି ରାଜ୍ୟର ଦ୍ବିତୀୟ ସର୍ବାଧିକ ରାଜସ୍ବ ଆଦାୟ କରୁଥିବା ଡିଏମଏଫ୍ ଜିଲ୍ଲା ।
ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରି ସେଥିରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଭଳି ଖଣି ଖାଦାନ ଭରପୁର ଜିଲ୍ଲା ଗୁଡ଼ିକୁ ସାମିଲ କରି ରାଜ୍ୟର ଖଣି ବ୍ୟବସାୟ ଉପରେ ରାଜୁତି କରିବା ପାଇଁ ଏହି ଚକ୍ରାନ୍ତ ବୋଲି ମଧ୍ୟ ଅଭିଯୋଗ ହୋଇଛି । ସୋମବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ଗତକାଲି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ବିବୃତି ପ୍ରତ୍ୟାହର ପାଇଁ ଦାବିପତ୍ର ଦିଆଯାଇଛି । ଆଗକୁ ଏହା ଆନ୍ଦୋଳନର ରୂପ ନେବାକୁ ଯାଉଛି ।