କେନ୍ଦୁଢ଼ିପ ଗାଁରେ ଛେଳି ମଡ଼କ; ୧୦ ଦିନରେ ମଲେଣି ୧୦୦ରୁ ଅଧିକ ଛେଳି

1 min read

ଢେଙ୍କାନାଳ: ଗାଁରେ ଚାଲିଛି ଛେଳିମଡ଼କ । ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହୋଇଚାଲିଛି । ଦୀର୍ଘ ୧୦ ଦିନ ହେବ ଅଜଣା ରୋଗରେ ୧୦୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଛେଳି ପାଳନ ଲୋକଙ୍କର ମୁଖ୍ୟ ରୋଜଗାରର ମାଧ୍ଯମ ହୋଇଥିବା ବେଳେ ଛେଳି ମଡ଼କ ଯୋଗୁଁ ଲୋକଙ୍କ ଘରେ ଚୁଲି ଜଳୁନାହିଁ । ଗାଁରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଗ୍ରାମବାସୀ । ଛେଳି ମଡ଼କ ଯୋଗୁଁ ଗାଁରେ ଅଜଣା ଭୟର ବାତାବରଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କେନ୍ଦୁଢ଼ିପ ଗାଁର ହରିଜନ ସାହିରେ ୧୦ ଦିନ ହେବ ୧୦୦ରୁ ଅଧିକ ଛେଳି ମଲେଣି l ଛେଳି ବିକ୍ରିକରି ଯାହା ରୋଜଗାର କରନ୍ତି ସେଥିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଉଥିବା ଦେଖି ଦୁଃଖରେ ଛେଳି ଚାଷୀ।

ଆଜିକୁ ଦୀର୍ଘ ବର୍ଷ ଧରି କେନ୍ଦୁଢ଼ିପ ହରିଜନ ସାହିର ପ୍ରାୟ ୧୦ରୁ ଅଧିକ ପରିବାର ଋଣ କରି ଛେଳି ପାଳନ କରିଆସୁଛନ୍ତି l ତେବେ ଛେଳି ମଡ଼କ ଯୋଗୁଁ କିପରି ଋଣ ପରିଶୋଧ କରିବେ ସେଇ ଚିନ୍ତାରେ ଗ୍ରାମବାସୀ l ଗତ ଦଶଦିନ ଧରି ଛେଳିଙ୍କଠାରେ ହଟାତ ଜର ଆସିବା ସହ ଝାଡ଼ା ହେବା ଇତ୍ୟାଦି ଲକ୍ଷଣ ଦେଖାଯାଇ ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହେଉଛି । ଜିରାଳ ପ୍ରାଣୀ ଚିକିତ୍ସିକ ଗାଁରେ ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ l ଏହାପରେ ଆଉ ସେହି ଗାଁକୁ ପଶୁ ଚିକିତ୍ସକ କିମ୍ଵା କୌଣସି ଅଧିକାରୀଙ୍କ ପାଦ ପଡ଼ିନାହିଁ। ଘଟଣାକୁ ହାଲକା ଭାବେ ନେଇ ଗୁହାଳର ଅସ୍ୱାସ୍ଥ୍ୟକର ପରିବେଶ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ ନିମୋନିଆ ରୋଗ ଛେଳି ମୃତ୍ୟୁର ମୁଖ୍ୟ କାରଣ କହିଛନ୍ତି ପ୍ରାଣୀ ଚିକିତ୍ସକ ଅମରେନ୍ଦ୍ର ପଟ୍ଟନାୟକ ।

ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାକୁ ଗୁରୁତ୍ୱର ସହିତ ନେଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେଲେ ଛେଳି ମଡ଼କକୁ ରୋକାଯାଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି ।