ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

1 min read

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲାରେ ଥମୁନି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ବଦଳୁଛି ଆନ୍ଦୋଳନର ରୂପରେଖ । ମୁଣ୍ଡ ଟେକୁଛି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ।   ଆଜି ୭୫ ତମ ସମ୍ବିଧାନ ଦିବସ ଅବସରରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । କନିଷ୍ଠ ଶିକ୍ଷକଙ୍କ ସହ ଜିଲ୍ଲାର ସମସ୍ତ ଗ୍ରୁପ-ସି ଓ ଗ୍ରୁପ-ଡି ପଦବୀ ଜିଲ୍ଲାର ଯୁବକଯୁବତୀଙ୍କୁ ପ୍ରଦାନ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ସହରର ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅବିଭକ୍ତ କୋରାପୁଟକୁ ସ୍ୱତନ୍ତ୍ର ରାଜ୍ୟ ଦାବି କରିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ । ଅବିଭକ୍ତ କୋରାପୁଟ ଜିଲ୍ଲାରେ  ଚାରୋଟି ବିଦ୍ୟୁତ ପ୍ରକଳ୍ପ ରହିଛି, ଜିଲ୍ଲାରେ ହେଚଏଏଲ, ନାଲକୋ ଭଳି ସଂସ୍ଥା ରହିଛି । ଏବଂ ପ୍ରାକୃତିକ ଖଣି ସମ୍ପଦ ଭରପୁର ଥିବାବେଳେ ଏହାର କୋଟି କୋଟି ଟଙ୍କା ରାଜସ୍ୱ ସରକାର ପାଉଛନ୍ତି । ଏହା ସ୍ଥାନୀୟ ଅଞ୍ଚଳର ବିକାଶରେ ଲାଗୁନଥିବା ବେଳେ ସ୍ବତନ୍ତ୍ର ରାଜ୍ୟ ହେଲେ ତାହାର ସୁବିନିଯୋଗ କରି ଅଞ୍ଚଳବାସୀ ସ୍ବାବଲମ୍ବୀ ହୋଇପାରିବେ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି ।