ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକା, ପୂର୍ବତଟ ରେଳପଥ ଜୋନରୁ ଅଲଗା କଲେ ଓ୍ବାଲଟିୟର ଡିଭିଜନ୍
1 min readନନ୍ଦିଘୋଷ ବ୍ୟୁରୋ : ରେଳ ବିକାଶରେ ଓଡ଼ିଶାକୁ ବେଖାତିର । ଦୀର୍ଘଦିନରୁ ଷଡ଼ଯନ୍ତ୍ର କରୁଥିଲା କେନ୍ଦ୍ର । କିନ୍ତୁ ବିଜେଡିର ବିରୋଧ ଯୋଗୁ ସମ୍ଭବ ହୋଇ ପାରୁନଥିଲା । ଏବେ ଡବଲ ଇଞ୍ଜିନ୍ ସରକାର କ୍ଷମତାକୁ ଆସିବା ପରେ ନୂଆବର୍ଷ ପୂର୍ବରୁ ଓଡ଼ିଶାକୁ କେନ୍ଦ୍ର ଦେଇଛି ବୈମାତୃକ ଭେଟି । ୱାଲଟିୟର ଡିଭିଜନ୍କୁ ପୂର୍ବତଟ ରେଳପଥ ଜୋନରୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ନୂଆ କରି ଗଠନ ହେବ ଦକ୍ଷିଣତଟ ରେଳ ଜୋନ୍ । ସଂକୁଚିତ କଲେ ପୂର୍ବତଟ ରେଳବାଇ ଜୋନର ପରିସୀମା । ଏବେ ରେଳ ରାଜସ୍ବ ବି କାଟିଲା କେନ୍ଦ୍ର । ଖୋଦ ରେଳବାଇର ପୂର୍ବତନ ଅଧିକାରୀ ଏ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । କୌଣସି ରାଜ୍ୟର ପରିସୀମାକୁ ଦେଖି ରେଳ ଜୋନ ଗଠନ ହୁଏନାହିଁ । ଆନ୍ଧ୍ର ପ୍ରଦେଶ ସ୍ବତନ୍ତ୍ର ରାଜ୍ୟ ହେଲେ ବି ସେଠାରେ ଆଗରୁ ଓ୍ବାଲଟିୟର ଡିଭିଜନ୍ ରହିଛି । ନୂଆ ରେଳ ଜୋନ କରିବାର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାର ଏପରି କରି ଓଡ଼ିଶା ପ୍ରତି ଚରମ ଅନ୍ୟାୟ କରିଛନ୍ତି । ୨୦୦୩ରେ ପୂର୍ବତଟ ରେଳପଥ ଜୋନ୍ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ୱାଲଟିୟର ଡିଭିଜନ୍ ସାମିଲ ଥିଲା । ଯଦି ଓଡ଼ିଶାରୁ ୱାଲଟିୟର ଡିଭିଜନ୍ ଅଲଗା କଲେ ତାହେଲେ ଦକ୍ଷିଣ-ପୂର୍ବ ରେଳପଥ ଜୋନ ଅଧୀନରେ ଥିବା ଚକ୍ରଧରପୁର ରେଳମଣ୍ଡଳରେ ଥିବା ଓଡ଼ିଶାର ୪ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ପୂର୍ବତଟ ରେଳପଥ ଜୋନ୍ରେ ସାମିଲ କରାଯାଉ । ଓଡ଼ିଶାରୁ ଅଲଗା ୱାଲଟିୟର ଡିଭିଜନ ଅଲଗା ହେଲେ ବାର୍ଷିକ ପ୍ରାୟ ୧୦ ହଜାର କୋଟିରୁ ଅଧିକ ରେଳ ରାଜସ୍ବ ହରାଇବ ରାଜ୍ୟ । କେନ୍ଦ୍ରର ଏପରି ନିଷ୍ପତ୍ତି ଓଡିଶାର ବିକାଶ ପାଇଁ ନା ଓଡ଼ିଶାକୁ କାଙ୍ଗାଳ କରିବା ପାଇଁ ତାକୁ ନେଇ ପ୍ରଶ୍ନ ଉଠିଛି ।
କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଏପରି ଚରମ ଅଣଦେଖା ନେଇ ବର୍ଷିଛନ୍ତି ବିରୋଧୀ । ଅଭିଯୋଗ ହୋଇଛି, ବିକାଶ ନାଁରେ ଓଡ଼ିଶା ପାଇଲା ଧୋକା । ରାଜନୈତିକ ଫାଇଦା ପାଇଁ କେନ୍ଦ୍ର ସରକାର ଓଡ଼ିଶାର ପୂର୍ବତଟ ରେଳପଥ ଜୋନ୍ରୁ ଓ୍ବାଲଟିୟର ଡିଭିଜନକୁ ଅଲଗା କଲେ । ଆନ୍ଧ୍ରକୁ ତୁଷ୍ଟ କଲେ ତିଷ୍ଠି ରହିବ କେନ୍ଦ୍ର ସରକାର । ଓଡିଶା ପ୍ରତି କେନ୍ଦ୍ରର ଏପରି ଅବହେଳା ଜାଣି ବି ବିତଣ୍ଡା ଯୁକ୍ତି ବାଢୁଛି ବିଜେପି । ରେଳବାଇର ପରିଚାଳନା ଦୃଷ୍ଟିରୁ ଓଡ଼ିଶା ରେଳରାଜସ୍ବ ସଂଗ୍ରହ ଗେଟ୍ ଓ୍ବେ ଭାବେ କାମ କରୁଥିଲା । କୌଣସି ଅନ୍ୟରାଜ୍ୟର ଡିଭିଜନ୍ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ନଥିଲା । ନୂଆ କରି ଜୋନ୍ ହେଲେ ଓଡ଼ିଶାର ରାୟଗଡ଼ା, କୋରାପୁଟ, ଗୁଣୁପୁର, ବ୍ରହ୍ମପୁର ଜଙ୍କସନ୍ ଆଦି ଆନ୍ଧ୍ର ପ୍ରଦେଶ ଦକ୍ଷିଣତଟ ରେଳ ଜୋନ୍ ଅଧୀନକୁ ଯିବ । ବଡ଼ ଶିଳ୍ପ ଚାଲିଯାଇଥିଲା । ଏବେ ରେଳ ରାଜସ୍ବ ବି କାଟିଲେ । ରେଳ ସାନ୍ଦ୍ରତା ଦୃଷ୍ଟିରୁ ଓଡ଼ିଶା ଦୁର୍ବଳ ସ୍ଥିତିରେ ଅଛି । ରେଳ ବଜେଟ୍ରେ ଓଡ଼ିଶାକୁ ଗୁରୁତ୍ବ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି । ଏବେ ନିଜର ରାଜନୈତିକ ଫାଇଦା ପାଇଁ ଓଡ଼ିଶାକୁ ବଳି ପକାଇବାକୁ ପଛାଇନଥିବା ସବୁ ମହଲରେ ଚର୍ଚ୍ଚା ହେଉଛି ।