ଗୁଣୁପୁର ବସଷ୍ଟାଣ୍ଡ କାମ ଆରମ୍ଭ: ଦୋକାନ ଭଙ୍ଗାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ
ରାୟଗଡ଼ା: ବଦଳିବ ଗୁଣୁପୁର ନୂତନ ବସଷ୍ଟାଣ୍ଡ ରୂପରେଖ। ପୂର୍ବ ସରକାର ସମୟରେ ହୋଇଥିଲା ଟେଣ୍ଡର ପ୍ରକ୍ରିୟା। ଏବେ ନୂତନ ବସଷ୍ଟାଣ୍ଡ ନିମନ୍ତେ ଆରମ୍ଭ ହୋଇଛି କାମ। ଅତ୍ଯାଧୁନିକ ସୁବିଧା ସୁଯୋଗ ପାଇବେ ଲୋକେ। ହାଇଟେକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୨୪ ମସିହାରେ ୨୨ କୋଟି ଟଙ୍କା ଟେଣ୍ଡର କରିଥିଲେ ପୂର୍ବତନ ସରକାର। ନୁତନ ବସଷ୍ଟାଣ୍ଡର ଉନ୍ନତିକରଣ କରିବା ପାଇଁ ଓ ଏସ୍ଆରଟିସି ଟେଣ୍ଡର ଡାକିବା ପରେ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। ବର୍ତ୍ତମାନ ନୂତନ ବସଷ୍ଟାଣ୍ଡ ନିର୍ମାଣର ଡିଜାଇନ ନେଇ କାମ ଆରମ୍ଭ ହୋଇଛି । ପୂର୍ବରୁ ଥିବା ଦୋକାନ ଗୁଡିକୁ ପୈାରପରିଷଦ ନିର୍ଦ୍ଦେଶରେ ଭାଙ୍ଗି ଦିଆଯାଉଛି। କିଛି ଦୋକାନୀମାନଙ୍କୁ ୩୦ ତାରିଖ ମଧ୍ଯରେ ଦୋକାନ ଖାଲି କରିବାରୁ ପୌରପରିଷଦ ପକ୍ଷରୁ କୁହାଯାଇଛି। ଯାହାଦ୍ବାରା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପଟେ ଦୋକାନୀ ମାନେ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଘରୋଇ ବସ ରହିବା ପାଇଁ ବ୍ଯବସ୍ଥା କରିବାକୁ ଦାବି କରିଛନ୍ତି ଘରୋଇ ବସ ମାଲିକ ସଂଘ। ସେପଟେ ପୁର୍ତ୍ତ ବିଭାଗର ବିନା ଆଦେଶ ନାମାରେ କିଭଳି ଦୋକାନ କୋଠା ଗୁଡିକ ଭଙ୍ଗା ଯାଉଛି ବୋଲି ପ୍ରଶ୍ନ ଉଠାଉଛନ୍ତି ଦୋକାନୀ ସଂଘ।
ଗୋଟିଏ ପଟେ ବ୍ୟବସାୟୀ ଉନ୍ନୟନ କାମକୁ ବିରୋଧ ନକରି ପୈାରପରିଷଦ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଏପଟେ ପୈାରପରିଷଦର ଖାମଖିଆଲି ନୀତିକୁ ବିରୋଧ କରିଛନ୍ତି ଦୋକାନୀ। ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ସହିତ ଆଲୋଚନା କରି ବିକଳ୍ପ ବ୍ଯବସ୍ଥା କରାଯିବ ବୋଲି ବୋଲି ପୈାରପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି। ଅନ୍ୟପଟେ ନୂଆ କାମ ଯାହା ହୋଇଛି ତାହା ଭଙ୍ଗାଯିବନି, ଯାହା ସରକାରୀ ଗାଇଡ୍ ଲାଇନ୍ ବାହରେ ରହିଛି ତାକୁ ଭଙ୍ଗାଯିବ ବୋଲି କହିଛନ୍ତି।