କୁକୁରକୁ ନ୍ୟାୟ ଦେବା ପାଇଁ ୪ ବର୍ଷ କୋର୍ଟରେ ଲଢିଲେ ମହିଳା ଓକିଲ
ନୂଆଦିଲ୍ଲୀ : ପଶୁ ମାଡ଼ ଖାଇ ମଧ୍ୟ ବିଶ୍ୱସ୍ତ ହୋଇଥାଏ, କିନ୍ତୁ ମଣିଷ ପ୍ରେମ ପାଇବା ପରେ ମଧ୍ୟ ଧୋକା ଦେଇଥାଏ । ଏହି କଥାର ଯଥାର୍ଥ ଏକ ସତ୍ୟଘଟଣାରୁ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀର ରିଦମ୍ ଶୀଲ ଶ୍ରୀବାସ୍ତବ ନାମକ ଜଣେ ଓକିଲ ଦୀର୍ଘ ୪ ବର୍ଷ ଧରି କୋର୍ଟରେ ଲଢି କୋକୋ ନାମକ ଏକ କୁକୁରକୁ ନ୍ୟାୟ ଦେଇଛନ୍ତି । ରିଦମ୍ ଏହି କେଶ୍ ବିଷୟରେ କହିଛନ୍ତି ଯେ, ୨୦୨୦ ଫେବୃୟାରୀରେ ପାହାଡ଼ଗଞ୍ଜର ଜଣେ ବାସିନ୍ଦା ଏକ ମାମଲା ଦାୟର କରିଥିଲେ । ତାଙ୍କ ଅଭିଯୋଗ ଥିଲା କି ସେ ଜଣେ ୭୦ ବର୍ଷୀୟ ଷ୍ଟ୍ରିଟ୍ ଫୁଡ ବିକ୍ରେତା ତାଙ୍କ କୁକୁର ଉପରେ ଏସିଡ୍ ପକାଇଛନ୍ତି, ଯାହା କୁକୁରଟିର ଆଖି, ମୁହଁ ତଥା ଶରୀରର ଅନ୍ୟ ଅଂଶ ଗୁଡିକୁ ନଷ୍ଟ କରିଦେଇଛି । ଏହା ଛଡା ସେ କୁକୁରକୁ ମାଡ଼ ମାରିବା ଏବଂ ତଡିବା ପାଇଁ ଅନେକ ଥର ଚେଷ୍ଟା କରିଛନ୍ତି ।
ଆଡଭୋକେଟ୍ ରିଦମଙ୍କ ମତରେ ଏହା ପ୍ରଥମ ମାମଲା ଯେଉଁଥିରେ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ପାଇଁ ଦଣ୍ଡ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ସେ ଦୀର୍ଘ ୪ ବର୍ଷ ଧରି କୌଣସି ଟଙ୍କା ନନେଇ ଏହି ମାମଲା ପାଇଁ କୋର୍ଟରେ ଲଢିଛନ୍ତି ଏବଂ ଏହି ମାମଲାରେ କୌଣସି ପ୍ରକାର ହେଳା ନକରି କୁକୁରକୁ ନ୍ୟାୟ ଦେବାକୁ ସେ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ । ପରିଶେଷରେ କୁକୁର କୋକୋକୁ ମିଳିଲା ନ୍ୟାୟ । ଦୋଷୀକୁ ଏକ ବର୍ଷ ଜେଲଦଣ୍ଡ ସହ ୧୦ହଜାର ୫୦୦ଟଙ୍କା ଜୋରିମାନାର ଶୁଣାଇଲେ କୋର୍ଟ । ସୂଚନା ଅନୁଯାୟୀ, ଏହା ପ୍ରଥମ ମାମଲା ଯେଉଁଥିରେ ପଶୁଙ୍କ ଉପରେ କ୍ରୁରତା ପାଇଁ କେହି ଦଣ୍ଡ ପାଇଛନ୍ତି । ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ୧୮୬୦ର ଧାରା ୪୨୯ ଏବଂ ୧୯୬୦ର ପଶୁ କ୍ରୁରତା ଅଧିନିୟମର ଧାରା ୧୧(୧) ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ରିଦମଙ୍କ କହିଛନ୍ତି ଯେ, କୋକୋ ସହ ସେ ଏବେ ବି ଦେଖା ହେବା ପାଇଁ ଯାଆନ୍ତି ଏବଂ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ସେ ଏବେ କୌଣସି ବି ମଣିଷଙ୍କ ପାଖକୁ ଆସିବାକୁ ସେ ଭୟ କରୁଛି, ଯେପରି ମଣିଷଙ୍କ ଉପରେ ତାର ଆଉ ଭରସା ନାହିଁ । ପ୍ରଥମେ ସେ ଭଲ ଭାବେ ଶୁଘିଂ ଚିହ୍ନିବା ପରେ ହିଁ ତାଙ୍କ ପାଖକୁ ଯାଉଛି ।