ପୁଟିନ ବଦଳାଇଲେ ପରମାଣୁ ଯୁଦ୍ଧ ନୀତି, ୟୁକ୍ରେନ ଉପରେ କରିବେ କି ଆକ୍ରମଣ
ମସ୍କୋ: ପରମାଣୁ ଯୁଦ୍ଧର ରୂପ ନେବ କି ୟୁକ୍ରେନ ଯୁଦ୍ଧ ? ରୁଷିଆର ରାଷ୍ଟ୍ରପତି ପୁଟିନ ନ୍ୟୁକ୍ଲିୟର ଡକଟରିନ୍ ବଦଳାଇବା ପରେ ଏହି ଆଶଙ୍କା ଦେଖା ଦେଇଛି ।
ଆଗରୁ ରୁଷିଆର ନିୟମ ଥିଲା ଯେ, ଆଣବିକ ଅସ୍ତ୍ର ନ ଥିବା ଦେଶ ସହିତ ଯୁଦ୍ଧ ହେଲେ ମଧ୍ୟ ସେହି ଦେଶ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ନାହିଁ । କିନ୍ତୁ ଏବେ ତାକୁ ବଦଳାଇ ଦେଇଛନ୍ତି ପୁଟିନ । ବର୍ତ୍ତମାନ ଆଣବିକ ଅସ୍ତ୍ର ନ ଥିବା ଦେଶକୁ ନ୍ୟୁକ୍ଲିୟର ଶକ୍ତି ଥିବା ଦେଶ ଯଦି ସାହାଯ୍ୟ କରନ୍ତି, ତେବେ ରୁଷିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ । ଅର୍ଥାତ ରୁଷ ପରୋକ୍ଷରେ ଚେତାବନୀ ଦେଇଛି, ଦରକାର ପଡ଼ିଲେ ୟୁକ୍ରେନ ବିରୋଧରେ ଆଣିବକ ଅସ୍ତ୍ର ପ୍ରୟୋଗ କରାଯିବ ।
କିଛି ଦିନ ତଳେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲେ ବାଇଡେନ । ଏହାପରେ ରୁଷିଆ ଉପରେ ଜେଲେନସ୍କି ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ବୋଲି ରୁଷିଆ ଅଭିଯୋଗ କରିଛି । ଯାହାକୁ ନେଇ ପୁଟିନ ବିଗିଡ଼ି ଯାଇଥିଲେ । ଆଉ ଏବେ ପୁଟିନଙ୍କ ଆଭିମୁଖ୍ୟ ଦେଖି ୟୁରୋପ ଛାନିଆ । ଯୁଦ୍ଧ ଘନେଇବା ଆଶଙ୍କାରେ ଖାଦ୍ୟ ପାନୀୟ ମହଜୁଦ ରଖିବାକୁ ନିଜ ନିଜ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।