ଡାଏରୀରେ ଆତ୍ମଘୋଷିତ ବାବାଙ୍କ ନିତିଦିନିଆ କାର୍ଯ୍ୟକ୍ରମ, ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ
ଭୁବନେଶ୍ବର: ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ମାନବକୁ ଭଗବାନ ରୂପେ ପୂଜାର୍ଚ୍ଚନା ଘଟଣା । ମିଳିଲା ଡାଏରୀ । ଏଥିରେ ରହିଛି କୁନି ବାବାଙ୍କ ନିତିଦିନିଆ କାର୍ଯ୍ୟକ୍ରମ । କେତେବେଳେ ଉଠିବେ, କେତେ ବେଳେ ଶୋଇବେ, କେତେ ବେଳେ ଖାଇବେ ଆଉ କେତେ ବେଳେ ଲୋକଙ୍କ ଠକିବେ ସବୁକିଛି ସମୟ ଅନୁସାରେ ଉଲ୍ଲେଖ ରହିଛି ।
ସକାଳ ୫ଟା ୪୫ରୁ ଆଶ୍ରମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥାଏ ଓ ରାତି ୯ଟା ୪୫ ପର୍ଯ୍ୟନ୍ତ ଚାଲିଥାଏ । ଆଉ ୯ଟା ୪୫ ପରେ ଆତ୍ମଘୋଷିତ ବାବା ଚାଲିଯାଆନ୍ତୁ ଶୋଇବାକୁ । ଆସନ୍ତୁ ଜାଣିବା ସକାଳୁ ରାତି ପର୍ଯ୍ୟନ୍ତ ଆଶ୍ରମରେ କ’ଣ ହେଉଥିଲା ।
ସକାଳ ୫ଟା ୪୫ରୁ ଆରମ୍ଭ ହୁଏ ଆଶ୍ରମର କାର୍ଯ୍ୟକ୍ରମ । ପ୍ରଥମେ ହୋଇଥାଏ ସମ୍ମିଳନୀ । ଏଥିରେ ଶଙ୍ଖ ଓ ଘଣ୍ଟ ବଜାଇବା, ହୁଳହୁଳି ପକାଇବା ଓ ତୁଳସୀ ଲାଗି ସମ୍ପର୍କରେ ଲେଖାଯାଇଛି ।
ଏହାପରେ ହୋଇଥାଏ ପ୍ରଭାତ ସନ୍ଧ୍ୟା । ପ୍ରଭାତ ସନ୍ଧ୍ୟାର ପ୍ରଥମ ସୋପାନରେ ୪୫ ମିନିଟ ଧରି ହୋଇଥାଏ ପ୍ରଭାତ ଫେରି । ଏହାପରେ ଜଳଖିଆ ଖାଇବାର ସମୟ । ଯାହା ଡାଏରୀରେ ଲେଖା ଯାଇଛି ବ୍ରେକଫାଷ୍ଟ ୭ଟା ୩୦ରୁ ସାଢ଼େ ୮ଟା । ଏହାପରେ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲେ ଭଜନ କିର୍ତ୍ତନ । ଭଜନ କିର୍ତ୍ତନ ପରେ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିଥାଏ ପ୍ରବଚନ । ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଆଶ୍ରମରେ ହୋଇଥାଏ ଭାଗବତ ପାଠ ।
୧୨ଟାରୁ ଆରମ୍ଭ ହୋଇଯାଏ ମଧ୍ୟାହ୍ନ ସନ୍ଧ୍ୟା । ଏହା ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥାଏ । ଏହାପରେ ପ୍ରସାଦମ୍ (ପ୍ରସାଦ ସେବନ) ସାଢ଼େ ୧୨ଟାରୁ ଆରମ୍ଭ ହୋଇ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲେ । ପ୍ରସାଦ ସେବନ ପରେ ଆତ୍ମଘୋଷିତ ବାବା ବିଶ୍ରାମ ନେବାକୁ ଚାଲିଯାଆନ୍ତି । ୨ଟାରୁ ୫ଟା ପର୍ଯ୍ୟନ୍ତ ରହିଥାଏ ବିଶ୍ରାମ ସମୟ ।
୫ଟା ୪୫ରେ ଆରମ୍ଭ ହୋଇଥାଏ ସଭା । ୫ଟା ୪୫ରୁ ୬ଟା ୧୫ ପର୍ଯ୍ୟନ୍ତ ଚାଲେ ସନ୍ଧ୍ୟା କାର୍ଯ୍ୟକ୍ରମ । ଏଥିରେ ଦଶବତାର ସମ୍ପର୍କରେ ଆଲୋଚନା ହୋଇଥାଏ । ୬ଟା ୧୫ରୁ ୮ଟା ୩୦ ପର୍ଯ୍ୟନ୍ତ ଚାଲେ ସତସଙ୍ଗ । ୮ଟା ୪୫ରୁ ୯ଟା ୪୫ ରାତ୍ରୀ ଭୋଜନ ପରେ ବାବା ଶୋଇବାକୁ ଚାଲିଯାନ୍ତି ।
ବର୍ଷକର ଯଜ୍ଞ ତାଲିକା
ଡାଏରୀରେ ରହିଛି ପୂରା ବର୍ଷର ଯଜ୍ଞ ତାଲିକା । କେଉଁଠି କେଉଁଦିନ ଯଜ୍ଞ ହୋଇଥାଏ ଏଥିରେ ଲେଖାଯାଇଛି । ନୟାଗଡ଼ (ଲାଠିପଡ଼ା) ବ୍ରାହ୍ମଣୀଦେବୀରେ ରଜ ସଂକ୍ରାନ୍ତିରେ ହୋଇଥାଏ ଯଜ୍ଞ । ଏହାପରେ ପଣା ସଂକ୍ରାନ୍ତିରେ ହରପାର୍ବତୀ ପୂଜା କୃଷ୍ଣଦାସପୁରରେ ହୋଇଥାଏ । ପଟ୍ଟାମୁଣ୍ଡାଇର ପତ୍ରପୁରରେ ଅଗ୍ନିଉତ୍ସବ ଦିନ ଯଜ୍ଞ ହୋଇଥାଏ ।
ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ
ଡାଏରୀରେ ଆତ୍ମଘୋଷିତ ବାବାଙ୍କ ପୂଜା ପାଇଁ କେତେ କ’ଣ ଖର୍ଚ୍ଚ ହେବ ତାହା ମଧ୍ୟ ଉଲ୍ଲେଖ ରହିଛି । ଜଣେ ଭକ୍ତଙ୍କୁ ବାବାଙ୍କ ପୂଜା ପାଇଁ ଯେଉଁ ଲିଷ୍ଟ ଦିଆଯାଇଛି ସେଥିରେ କେବଳ ଫୁଲ ଖର୍ଚ୍ଚ ୩୫ ହଜାର ଟଙ୍କା ରହିଛି । ଏଥିରେ ପଳାସ ଫୁଲ ପାଇଁ ୨୩ ହଜାର ୪ ଶହ ସହ ୫ ଶହ ଟଙ୍କା ଆଟୋ ଖର୍ଚ୍ଚ । ହଜାରେ ଟଙ୍କିଆ କାର୍ପେଟ, ୨୫ ଶହ ଟଙ୍କାର ଅନ୍ୟ ଫୁଲ । ଗାଡି ବାବାଦକୁ ୫ ଶହ ଟଙ୍କା ଉଲ୍ଲେଖ ରହିଛି ।
ଏହାବାଦ ୨୫୦ କେଜି ଗେଣ୍ଡୁ ଫୁଲ, ୫ଟା କଟାରି, ୩୦ ପିସ୍ ସୋଲ, ରଜନୀଗନ୍ଧା ୩୦ ବିଡ଼ା (ପ୍ରତି ବିଡାରେ ୨୦ଟି), ଗୋଲାପ ଫୁଲ ୨ ହଜାର ଓ କଡି ୫ ଶହ, ରଜନୀଗନ୍ଧା ମାଳ ଏକ ହଜାର, ଖୋଲା ରଜନୀଗନ୍ଧା ଫୁଲ ୫୦ କେଜି, ଜାରବେରା ଶହେ ବିଡ଼ା ସହ ଆହୁରି ବି ବହୁତ କିଛି ଏଥିରେ ଲେଖାଯାଇଛି ।
ଏହାସହ ଡାଏରୀରେ କଳକୀ ଅବତାରଙ୍କ ଫଟୋ ସହ ଭଜନ ଲେଖାଯାଇଛି । ଏହି ଭଜନ ଆତ୍ମଘୋଷିତ ବାବାଙ୍କ ପାଖରେ ବୋଲା ଯାଇଥାଏ । କେବଳ ଡାଏରୀ ମିଳିନାହିଁ । ଆଶ୍ରମରୁ ବିଡି ବିଡା ଲଫାପା ମଧ୍ୟ ମିଳିଛି । ଯେଉଁଥିରେ ପୂଜା ଖର୍ଚ୍ଚର ଲିଷ୍ଟ ଲୋକଙ୍କ ପାଖକୁ ପଠାଯାଉଥିଲା ।