କଟକ ବାଲିଯାତ୍ରା: ପ୍ରଥମ ଦିନରୁ ଅଘଟଣ ଆଉ ଅଘଟଣ, ଜିଲ୍ଲା ପ୍ରଶାସନକୁ ବାରବାଟୀ-କଟକ ବିଧାୟିକାଙ୍କ ଟାର୍ଗେଟ

1 min read

କଟକ: ବ୍ୟାପକ ଅବ୍ୟବସ୍ଥା ଘେରରେ କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରାଯିବା ସାଙ୍ଗକୁ ମଞ୍ଚରୁ ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଓହ୍ଲାଇ ଦିଆଗଲା । ଏହାସହ ରବିବାର ଜଣେ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ଜୀବନ ଗଲା । ବାଲିଯାତ୍ରାରେ ଏଭଳି ପରିଚାଳନାଗତ ତ୍ରୁଟିକୁ ନେଇ ବର୍ଷିଛନ୍ତି ସ୍ଥାନୀୟ ବିଧାୟିକା । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତା’ର ତଦନ୍ତ ପାଇଁ ଦାବି ହୋଇଛି । ଖାଲି ସେତିକି ନୁହେଁ, ଜିଲ୍ଲା ପ୍ରଶାସନକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଯେଉଁମାନେ ଭାଇଚାରାର ସହରରେ ଭାଇଚାରା ସହ କାମ କରିବାକୁ ଚାହୁଁନାହାନ୍ତି ସେମାନେ କଟକ ଛାଡି ଚାଲିଯାଆନ୍ତୁ ବୋଲି ରୋକଠୋକ ଶୁଣାଇଛନ୍ତି ସୋଫିଆ ।

ବାଲିଯାତ୍ରା ଅବ୍ୟବସ୍ଥା

* ପ୍ରଥମ ଦିନରେ ରାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

* ଦ୍ୱିତୀୟ ଦିନରେ ବନ୍ଦ ହେଲା ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ

* ତୃତୀୟ ଦିନରେ କରେଣ୍ଟ ଲାଗି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ

ଗତକାଲି ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିଲା । ଏହି ସମୟରେ କଟକ ତୁଳସୀପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଯୁକ୍ତଦୁଇ ଛାତ୍ର ବିଶ୍ୱପ୍ରକାଶ ମନ୍ଥନ ଓ ତାଙ୍କ ସାଙ୍ଗ ବାଲିଯାତ୍ରା ଦେଖିବା ପାଇଁ ଆସିଥିଲେ । କ୍ୟାଣ୍ଟନମେଣ୍ଟ ଥାନା ନିକଟ ରାସ୍ତା ଅତିକ୍ରମ କରୁଥିବା ବେଳେ, ଲିଚୁ ଲାଇଟ୍ କରେଣ୍ଟ ଲାଗି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବିଶ୍ୱପ୍ରକାଶ । ଯାହାକୁ ନେଇ ଏବେ ପ୍ରଶ୍ନ ଘେରରେ ପ୍ରଶାସନ । ଏହି ଅପମୃତ୍ୟ ପାଇଁ ପରିବାର ନ୍ୟାୟ ଦାବି କରିଥିବା ବେଳେ, ପ୍ରଶାସନକୁ ସିଧାସଳଖ ଦାୟୀ କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ପ୍ରଶାସନିକ ଅଧିକାରୀଙ୍କ ବେପୁରୁଆ ମନୋଭାବ ପାଇଁ ଏଭଳି ଦୃଶ୍ୟ ସମ୍ନାକୁ ଆସିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ, ବିଧାନସଭାରେ ବାଲିଯାତ୍ରା ଅବହେଳା ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ସୋଫିଆ ।

କଟକରେ ଅତିଥିଙ୍କୁ କେବେ ବି ଅପମାନିତ କରାଯାଏନି । କିନ୍ତୁ ଯେଉଁ ଅଫିସର କଟକର ସମ୍ମାନ ରକ୍ଷା କରି କାମ କରିବାକୁ ଚାହୁଁନାହାନ୍ତି, ସେମାନେ ଜିଲ୍ଲା ଛାଡି ଚାଲିଯାଆନ୍ତୁ ବୋଲି ସିଧାସଳଖ ଟାର୍ଗେଟ କରି କହିଛନ୍ତି ସୋଫିଆ । ଅନ୍ୟପଟେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ପ୍ରମାଣ ମିଳିଛି ଲିଚୁ ତାର ଅସୁରକ୍ଷିତ ଥିଲା । ତେବେ କାହାର ଭୁଲ ପାଇଁ ଏଭଳି ଘଟଣା ଘଟିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବାଲିଯାତ୍ରାର ୪ ଦିନ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଥିଲା ବେଳେ, ଆଗକୁ ବାକି ୪ ଦିନ କିପରି କଟିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।