ପ୍ରଥମ ଲଙ୍ଗରେଞ୍ଜ ହାଇପରସୋନିକ ମିଜାଇଲ ପରୀକ୍ଷା କଲା ଭାରତ, ପାକିସ୍ତାନ ଓ ଚୀନର ଉଡ଼ିଲା ହୋସ୍
ନୂଆଦିଲ୍ଲୀ: ଭାରତ ତାର ପ୍ରଥମ ଲଙ୍ଗ ରେଞ୍ଜ ହାଇପର ସୋନିକ ମିଜାଇଲର ସଫଳ ପରୀକ୍ଷଣ କରିଛି । ଗତକାଲି ଓଡ଼ିଶାର ଏପିଜେ ଅବଦୁଲ କଲାମ ଦୀପରେ ଏହାର ପରୀକ୍ଷା କରାଯାଇଥିଲା । ଯାହା ସଫଳ ହୋଇଛି । ଡିଆରଡିଓ ପକ୍ଷରୁ କରାଯାଇଥିବା ଏହି ମିଜାଇଲ ଭାରତର ତିନି ସେନା ବ୍ୟବହାର କରିପାରିବେ । ୧୫୦୦ କିମିରୁ ଅଧିକ ରେଞ୍ଜର ଏହି ମିଜାଇଲ ନା କେବଳ ସ୍ଥିର, ଚଳନ୍ତା ଲକ୍ଷ୍ୟକୁ ବି ଧ୍ବଂସ କରିବାକୁ ସକ୍ଷମ । ଆଉ ସବୁଠାରୁ ବଡ଼ କଥା ହେଲା, ଏହା ଭିନ୍ନ ଭିନ୍ନ ପେଲୋଡ ନେଇ ଲଞ୍ଚ ହୋଇପାରିବ ।
ମିଜାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ କହିଛନ୍ତି, ଏହା ଭାରତ ପାଇଁ ଏକ ଐତିହାସିକ ଉପଲବ୍ଧି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ରାଜନାଥ ଲେଖିଛନ୍ତି, ଭାରତ ଓଡ଼ିଶା ଉପକୂଳରେ ଥିବା ଏପିଜେ ଆବଦୁଲ କଲାମ ଦୀପରୁ ଲଙ୍ଗ ରେଞ୍ଜ ହାଇପରସୋନିକ ମିଜାଇଲର ସଫଳ ପରୀକ୍ଷଣ କରି ଏକ ବଡ ଉପଲବ୍ଧି ହାସଲ କରିଛି । ଏହି ପରୀକ୍ଷଣ ଭାରତକୁ କିଛି ନିର୍ଦ୍ଦିଷ୍ଟ ଦେଶଙ୍କ ସମୂହରେ ସାମିଲ କରିଦେଇଛି, ଯେଉଁମାନଙ୍କ ପାଖରେ ଏପରି ଉନ୍ନତିମାନର ଟେକ୍ନୋଲଜି ରହିଛି । ଏଥିପାଇଁ ଡିଆରଡିଓ, ଭାରତୀୟ ସେନା ଓ ଏହାକୁ ବିକଶିତ କରିବାରେ ସମ୍ପୃକ୍ତ ଉଦ୍ୟୋଗଙ୍କୁ ଶୁଭେଚ୍ଛା ଜଣାଉଛି ।
ଏକାଧିକ ଡୋମେନରେ ମୁତୟନ ବିଭିନ୍ନ ରେଞ୍ଜ ସିଷ୍ଟମ ଦ୍ବାରା ଏହାକୁ ପରୀକ୍ଷଣ କରାଯାଇଥିଲା । ଡାଉନ ରେଞ୍ଜ ସିପ୍ ଷ୍ଟେସନରୁ ମିଳିଥିବା ଡାଟାକୁ ଆଧାର କରି ମିଜାଇଲ ସଠିକ ଲକ୍ଷ୍ୟ ଭେଦ କରିଥିଲା । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିଜାଇଲକୁ ହାଇଦ୍ରାବାଦ ସ୍ଥିତ ଡଃ. ଏପିଜେ ଅବଦୁଲ କଲାମ ମିଜାଇଲ କମ୍ପ୍ଲେକ୍ସ ସହ ଅନ୍ୟ ଲ୍ୟାବରେ ଡେଭଲପ୍ କରାଯାଇଛି ।
ସୂଚନାଯୋଗ୍ୟ, ଏହି ମିଜାଇଲ ପରୀକ୍ଷଣ ଭାରତର ତିନି ସେନାର ଶକ୍ତିକୁ ଆହୁରି ବଢ଼ାଇ ଦେବ । ଏହାକୁ ସେନାରେ ସାମିଲ କରାଯିବା ପରେ ଆକାଶ ସୀମା ଦେଇ ଶତ୍ରୁ ପକ୍ଷଙ୍କ କୌଣସି ଅସ୍ତ୍ର ଦେଶକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଏହାସହ ଏହା ଦୂରରେ ଥିବା ଶତ୍ରୁ ପକ୍ଷଙ୍କ ଠିକଣାକୁ ମଧ୍ୟ ଆଖି ପିଛୁଳାକେ ଧ୍ବଂସ କରିବାରେ ସକ୍ଷମ । ଭାରତର ଏପରି ପରୀକ୍ଷଣରେ ଦୁଇ ପଡ଼ୋଶୀ ଚୀନ ଓ ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି । ମାତ୍ର କିଛି ସେକେଣ୍ଡରେ ଏହା ଇସଲାମାବାଦ ସହ ବେଞ୍ଜିଂ ଉପରେ ବୋମା ବର୍ଷା କରିବାକୁ ସକ୍ଷମ ।