ସ୍ଵପ୍ନରେ ରହିଯିବ ୫ ଜିଲ୍ଲାକୁ ରେଳପଥ ନିର୍ମାଣ ଲକ୍ଷ୍ୟ, ଡବଲ ଇଞ୍ଜିନ କେଉଁ କାମକୁ ?

1 min read

ଭୁବନେଶ୍ବର: ଓଡିଶା ବିକାଶର ଡବଲ ପ୍ରତିଶ୍ରୁତି ଦେଇ ରାଜ୍ୟରେ ଶାସନକୁ ଆସିଛି ଡବଲ ଇଞ୍ଜିନ ସରକାର । ହେଲେ ଓଡିଶାର ବିଭିନ୍ନ ଜିଲ୍ଲାକୁ ରେଳ ଇଞ୍ଜିନ ଗଡିବା କ୍ଷେତ୍ରରେ ରେଳବାଇର ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ଜୟପୁର-ନବରଙ୍ଗପୁର ହେଉ କି ଜୟପୁର-ମାଲକାନଗିରି ଭଳି ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ତଳୁ ଏମଓୟୁ ହୋଇଥିଲେ ବି କାମ ଆଗେଇ ପାରୁନି । ସେହିପରି ହରିଦାସପୁର-ପାରାଦ୍ବୀପ ଓ ଅନୁଗୋଳ-ସୁକିନ୍ଦା ରେଳ ଲାଇନରେ ଏଯାଏଁ ଗଡିଲାନି ପାସେଞ୍ଜର ଟ୍ରେନ । ଗତ ଦୁଇ ଦଶନ୍ଧୀ ଧରି ରାଜ୍ୟର ବିଭିନ୍ନ ରେଳପଥ ନେଇ ଦାବି ହୋଇ ଆସୁଥିଲେ ବି କେନ୍ଦ୍ରୀୟ ଅବହେଳା ଯୋଗୁଁ ଓଡିଶାରେ ରେଳବାଇ ବହୁ ପଛରେ ।

ରେଳବାଇରେ ଓଡିଶାକୁ କେନ୍ଦ୍ରର ଚିରାଚରିତ ଅବହେଳିତ । ଡବଲ ଇଞ୍ଜିନ ସରକାର ଥାଇ ବି ଆଗେଇ ପାରୁନି ପ୍ରକଳ୍ପ କାମ । ଜୟପୁରରୁ ନବରଙ୍ଗପୁର ୪୧ କି.ମି. ରେଳପଥ କାମ ଆରମ୍ଭ ହେଉ ହେଉ ବନ୍ଦ । ଜୟପୁରରୁ ମାଲକାଗିରି ୧୩୦ କି.ମି. ରେଳ ଲାଇନ କାମ ବି ବନ୍ଦ । ୨୦୧୬ ଅକ୍ଟୋବର ୧୦ ତାରିଖରେ ଏହି ଦୁଇଟି ପ୍ରକଳ୍ପ ପାଇଁ ନୂଆଦିଲ୍ଲୀ ରେଳଭବନରେ ତତ୍କାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ସ୍ପେସାଲ ପର୍ପୋଜ ଭେହିକିଲ ବା ଏସପିଭି ଜରିଆରେ ଏସବୁ କାମ କରିବାକୁ ସ୍ଥିର ହୋଇଥିଲା । ରେଟ୍ ଅଫ୍ ରିଟର୍ଣ୍ଣ ୧୪ ପ୍ରତିଶତରୁ କମ୍ ହେଉଥିବାରୁ ଉଭୟ ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ରାଜ୍ୟ ସରକାର ବହନ କରିଥିଲେ । ସେହିଭଳି ଜୟପୁର- ନବରଙ୍ଗପୁର ପ୍ରକଳ୍ପର ସମସ୍ତ ଜମି ରାଜ୍ଯ ସରକାର ମାଗଣାରେ ଦେବେ ବୋଲି ସ୍ଥିର ହୋଇଥିଲା । ଜମି ଅଧିଗ୍ରହଣର ୬ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ଯକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ସେହି ଅନୁଯାୟୀ ୨୦୨୨ ସୁଦ୍ଧା ଦୁଇଟି ଯାକ ପ୍ରକଳ୍ପର ନିର୍ମାଣ କାମ ସରିବା କଥା । ବାରମ୍ବାର ବିଜେଡି ଓ ଖୋଦ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପ ପାଇଁ ଦାବି କରୁଥିଲେ ବି ରେଳ ବିଭାଗର ଅବହେଳା ପାଇଁ ରେଳପଥ ନିର୍ମାଣ କାମ ଆଗେଇ ପାରିନି ।

କେବଳ ଏ ଦୁଇଟି ପ୍ରକଳ୍ପ ନୁହେଁ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରେଳ, କୋଇଲା ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସହ ମିଶି କିଛି ପ୍ରକଳ୍ପ ପାଇଁ ଯୌଥ କମ୍ପାନୀ ଓ ଏସପିଭି ଗଠନ କରିଛନ୍ତି । ହେଲେ ପ୍ରାୟ ସମସ୍ତ ପ୍ରକଳ୍ପ ବର୍ତ୍ତମାନ ଯେମିତି ଲକ୍ଷ୍ଯ ଠାରୁ ବହୁ ଦୂରରେ । ୧୯୯୬-୯୭ରେ ପାରାଦ୍ବୀପ ବନ୍ଦରକୁ ମାଲ ପରିବହନ ପାଇଁ ହରିଦାସପୁର-ପାରାଦ୍ବୀପ ରେଳ କମ୍ପାନୀ ଲିମିଟେଡ ବା HPRCL ନାମରେ ଏକ ଏସପିଭି ଗଠନ ହୋଇଥିଲା । ରେଳ ଲାଇନ ନିର୍ମାଣ ସରିଥିଲେ ବି ଏଯାଏଁ ଚାଲିପାରୁନି ପ୍ୟାସେଞ୍ଜର ଟ୍ରେନ । ସମାନ ସ୍ଥିତି ଅନୁଗୋଳ-ସୁକିନ୍ଦା ରେଳ ପଥର ।

ରେଳବାଇର ଅବହେଳା ଯୋଗୁଁ ଏବେ ବି ରାଜ୍ଯରେ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଦେବଗଡ ଓ ବୌଦ୍ଧ ଭଳି ୫ ଜିଲ୍ଲାକୁ ପହଁଚି ପାରିନି ରେଳ ସେବା ।