ରାଜ୍ଯ ବିଜେପିର ବହୁରୂପୀ ଏଣ୍ଡୁଅ ଆଚରଣ: ଜାମିନ ଆବେଦନ ଖାରଜ ପରେ ବି ଜୟନାରାୟଣ ଗେହ୍ଲା ପୁଅ
ଭୁବନେଶ୍ବର: ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ମଧ୍ୟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ରାଜ୍ୟ ସରକାର ଦେଉଛନ୍ତି ସୁରକ୍ଷା । ଯାହାକୁ ନେଇ ବିଜେଡି କକ୍ଷାକ୍ଷ କରିବା ସହ ବହୁରୂପୀ ଏଣ୍ଡୁଅ ଭଳି ରାଜ୍ୟ ବିଜେପିର ଆଚରଣ କହିଛି । ଦଳ ପକ୍ଷରୁ କୁହାଯାଇଛି କ୍ଷମତାର ଅହଂକାରରେ ସୁପ୍ରିମକୋର୍ଟଙ୍କ ରାୟକୁ ବି ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି, ହେଲେ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ ନ୍ୟାୟରେ ଜୟନାରୟଣ ହୁଅନ୍ତୁ ବା ରାଜ୍ୟପାଳଙ୍କ ପୁଅ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ।
ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନୀତିକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଇନ ସମସ୍ତଙ୍କ ପାଇଁ ସମାନ କହୁଥିବା ରାଜ୍ୟ ସରକାର ଜୟନାରାୟଣଙ୍କ କ୍ଷେତ୍ରରେ କାହିଁକି ନୀରବ ? ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ ସୁପ୍ରିମକୋର୍ଟରେ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି । ତା’ସତ୍ତ୍ବେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏହାକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଦେବ । ଜାମିନ ଖାରଜ ପରେ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ । କ୍ଷମତାର ଅଂହକାରରେ ସେ ଏଭଳି କହୁଛନ୍ତି । ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକମାନେ ଆଇନଠୁ ଊର୍ଦ୍ଧ୍ବରେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଆଇନ ସମସ୍ତଙ୍କ ପାଇଁ ସମାନ ତେବେ ବିଜେପି ବିଧାୟକ ଓ ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା କାହିଁକି, ଏହାର ଜବାବ ନିଜେ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଆଉ ଏହାସହ ଆଗାମୀ ଦିନରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ ଚେତାଇ ଦେଇଛନ୍ତି ।
ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଉପରେ କଂଗ୍ରେସ ଓ ବାମଦଳ ମଧ୍ୟ ବର୍ଷିଛନ୍ତି । ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ଗୃହ ବିଭାଗ । ସୁପ୍ରିମକୋର୍ଟ ଜାମିନ ଖାରଜ କରିବା ପରେ ଆଇନର ପ୍ରାବଧାନ ଯାହା ଅଛି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଆଇନକୁ ହାତକୁ ନେଉଥିବା ଦଳୀୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ପକ୍ଷପାତିତା କରାଯାଉଥିବାରୁ ଆଗାମୀ ଦିନରେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି । ସେହିଭଳି ବିଜେପିର ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ପାଣିର ଗାର ବୋଲି ଅଭିଯୋଗ କରିଛନ୍ତି ସିପିଏମ ନେତ୍ରୀ ତାପସୀ ପ୍ରହରାଜ । ବିଜେପି ମାନସିକ ଭାବେ ମହିଳା ବିରୋଧୀ । ଯେତେବେଳେ ମହିଳା ପୋଲିସ ଅଧିକାରୀଙ୍କୁ ଜୟ ନାରାୟଣ ମାଡ଼ ମାରିଥିଲେ ସେତେବେଳେ ବିଜେପି ତାଙ୍କୁ ଦଳରୁ ସସପେଣ୍ଡ କରିପାରିଥାନ୍ତା । ଅନ୍ୟପକ୍ଷେ ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ଦେଇଛି ବିଜେପି ।