ଝାଡ଼ଖଣ୍ଡ ନିର୍ବାଚନ: ରାହୁଲଙ୍କ ହେଲିକପ୍ଟରକୁ ମିଳିଲାନି ଅନୁମତି, ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି
ରାଞ୍ଚି: ବିଧାନସଭା ନିର୍ବାଚନ ପ୍ରଚାରକୁ ନେଇ ଉଠୁଛି ପଡୁଛି ଝାଡ଼ଖଣ୍ଡ । ପ୍ରଚାରରେ ପୂରା ଦମ ଲଗାଇ ଦେଇଛନ୍ତି ସବୁ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଜୋରସୋରରେ ପ୍ରଚାର କରିଛନ୍ତି । ତେବେ ଏହି ପ୍ରଚାର ସମୟରେ ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଓ ଦ୍ବିତୀୟଟି ରାହୁଲଙ୍କ ହେଲିକପ୍ଟରକୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅନୁମତି ନମିଳିବା ।
ମିଳିଥିବା ସୂଚନା ଅନୁସାରେ, ରାହୁଲ ଆଜି ମହାଗମାରେ ନିର୍ବାଚନ ପ୍ରଚାର ସାରିବା ପରେ ସେ ବରମୋ ଅଭିମୁଖେ ଯିବାର ଥିଲା । ସେଠାରୁ ସେ ଅନ୍ଯ ଏକ ସ୍ଥାନକୁ ନିର୍ବାଚନ ପ୍ରଚାର କରିବା ଲାଗି ଯାଇଥାନ୍ତେ । ମାତ୍ର ସେଠାରୁ ତାଙ୍କ ହେଲିକପ୍ଟର ଲାଗି ଏଟିସି ଅନୁମତି ମିଳି ନଥିଲା । ସେପଟେ ଆଜି ବି ଜାମୁଇରେ ପ୍ରଧାନମନ୍ତ୍ରୀଙ୍କ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥିଲା । ସେଠାରେ ସେ ଦେଓଘର ଯାଇଛନ୍ତି । ଏହି କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଅନୁମତି ମିଳି ନଥିବା ସୂଚନା ମିଳିଛି । ପ୍ରାୟ ୧ ଘଣ୍ଟା ପରେ ରାହୁଲଙ୍କ ହେଲିକପ୍ଟରକୁ ଅନୁମତି ମିଳିଛି ।
ସେପଟେ ନିର୍ବାଚନୀ ଉଦବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଜିଏସଟି, ପେଟ୍ରୋଲ ଆଦି ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନରେ ବି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ତାଙ୍କର ଗସ୍ତ ବିଳମ୍ବ ହୋଇଛି ।